ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବତନ ମନ୍ତ୍ରୀ, ବରିଷ୍ଠ ନେତା ତଥା କଟକ ପୂର୍ବତନ ବିଧାୟକ ଶ୍ରୀ ସମୀର ଦେଙ୍କ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ଦେ ୧୯୯୫, ୨୦୦୦, ୨୦୦୪ ମସିହାରେ କଟକ ନିର୍ବାଚନମଣ୍ଡଳୀରୁ ଲଗାତର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୦୦ରୁ ୨୦୦୪ ନଗର ଉନ୍ନୟନ ମନ୍ତ୍ରୀ ଓ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । କଟକ ମହନଗରକୁ ଆଧୁନିକରଣ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଜଣେ ସ୍ନେହୀ, ପରୋପକାରୀ ଓ ଦରଦୀ ମଣିଷ ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିବା ସହ ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ ଦେଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।