ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ: ଜାତୀୟ ରାଜପଥ ରାସ୍ତା ଉପରେ ରଖୁଛନ୍ତି ଟ୍ରକଟ୍ରକ ବାଲି, ଦୁର୍ଘଟଣା ଘଟିଲେ ଦାୟୀ ହେବ କିଏ?
ଦାରିଙ୍ଗବାଡି(ଆଶୋକ ସିଂ): ଗୋପାଳପୁର ଠାରୁ ରାୟପୁର ଦେଇ ଯାଇଥିବା ୫୯ନମ୍ବର ଜାତୀୟ ରାଜପଥର ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ମୁଖ୍ୟ ରାସ୍ତା ଉପରେ ଲୋକଙ୍କ ଘର ସମ୍ମୁଖରେ ସପ୍ତାହକୁ ପ୍ରାୟ ୪ ରୁ ୫ଦିନ ରାଜରାସ୍ତା ଉପରେ ବିଳମ୍ବିତ ରାତିରେ ବଡ଼ ବଡ଼ ହାଇୱା ଟ୍ରକରେ ବାଲି ଅଣାଯାଇ ରାସ୍ତା ଉପରେ ପକାଇ ରଖା ଯାଉଛି l ଉକ୍ତ ବାଲିକୁ ଅଞ୍ଚଳରେ ପାଣି ଟାଙ୍କି ନିର୍ମାଣ କରୁଥିବା ଏକ ଠିକା ସଂସ୍ଥା ଆଣି ରଖୁଥିବା ବେଳେ ଯେଉଁମାନଙ୍କ ଘର ସାମ୍ନାରେ ବାଲି ରହୁଛି ସେମାନେ ଏହାକୁ ବିରୋଧ କଲେ ଠିକାଦାର ସଂସ୍ଥାର କର୍ମଚାରୀମାନେ ଶୁଣିବା ପରିବର୍ତ୍ତେ ଓଲଟା ଯୁକ୍ତି କରୁଥିବା ଅଭିଯୋଗ କରିଛନ୍ତି l ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ଆଗମନ ହୋଇଗଲାଣି ୫୯ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ ଟ୍ରକ ବାଲି ଥିବା ଯୋଗୁଁ ଯାନବାହନ ଚଳାଚଳରେ ସମସ୍ୟା ଦେଖା ଦେଉଛି l ଗୋଟିଏ ପାର୍ଶ୍ଵରୁ ଯଦି କୌଣସି ବସ ଆସୁଥାଏ ଓ ବିପରୀତ ଦିଗରୁ ଛୋଟ ଚାରିଚକିଆ କିମ୍ବା ଟ୍ରକ ଆସିଲେ ରାସ୍ତା ଉପରେ ବାଲି ଥିବା ଯୋଗୁଁ ଯାତାୟାତରେ ଅସୁବିଧା ଦେଖା ଦେବା ସହିତ ବାଲି ଥିବା ଯୋଗୁଁ ଛୋଟ ମୋଟ ଦୁର୍ଘଟଣା ମଧ୍ୟ ଘଟିଥିବାର ନଜିର ରହିଛି l ତେବେ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ବେଳେ ଯଦି କେତେବେଳେ ଏହି ରାସ୍ତା ଉପରେ ଥିବା ବାଲି ଯୋଗୁଁ ବଡ଼ ଦୁର୍ଘଟଣା ଯେ ନ ଘଟିବ ସେ ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ନ ପାରେ l ଆଉ ଯଦି ସେହି ସ୍ଥାନରେ ଦୁର୍ଘଟଣା ଘଟେ ସେଥିପାଇଁ କିଏ ଦାୟୀ ରହିବ, ଯିଏ ବାଲି ରାସ୍ତା ଉପରେ ରଖୁଛି ସେହି ଠିକା ସଂସ୍ଥା ନା ସ୍ଥାନୀୟ ପ୍ରଶାସନ ନା ରାଜ୍ୟ ସରକାର ? ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜାତୀୟ ରାଜପଥ ଉପରେ ରାସ୍ତା ଅବରୋଧ କରି ଟ୍ରକ ଟ୍ରକ ବାଲି ଏକାଧିକ ଦିନ ଧରି ରାସ୍ତା ଉପରେ ରଖୁ ଥିବା ବେଳେ ସ୍ଥାନୀୟ ପ୍ରଶାସନ କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଇ ନ ଥିବା ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭର ବିଷୟ ପାଲଟିଛି l