ତିନି ଦିନ ମଧ୍ୟରେ ନେଟୱର୍କ ଚାଲୁହେବ: ପ୍ରତିଶୃତି ଦେଲେ ପ୍ରଶାସନ, ୮ଘଣ୍ଟା ପରେ ହଟିଲା ରାସ୍ତା ରୋକ….

ଦାରିଙ୍ଗବାଡି(ଆଶୋକ ସିଂ): ନେଟୱର୍କ ପାଇଁ ରାସ୍ତା ରୋକ ଭଳି ପରିସ୍ଥିତି ଉପୁଜି ଥିଲା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ର ସିକରମାହା ଗ୍ରାମରେ । ସିକରମାହା ସମେତ ଆଖପାଖ ଗ୍ରାମ ବାସୀ ଏକତ୍ରିତ ହୋଇ ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାକୁ ବୁଧବାର ଦିନ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ  କରିଥଲେ l ପ୍ରଶାସନ ଓ ବିଏସ୍‌ଏନ୍‌ଏଲ କତ୍ତୃପର୍କ୍ଷଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ଓହରିଥିଲେ । ରାସ୍ତା ଅବରୋଧ ହଟିଥିବା ପରେ ଉକ୍ତ ରାସ୍ତାରେ ଗାଡ଼ିଚଳାଚଳ ସ୍ବଭାବିକ୍‌ ହୋଇଥିଲା । ରାସ୍ତା ଅବରୋଧ ହୋଇଥିବା ଖବର ପାଇ ଦାରିଙ୍ଗବାଡି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ବ୍ରାହ୍ମଣୀଗାଁ ଥାନା ଆଇଆଇସି ବିଜୟ କୁମାର ହାଇବୁରୂ, ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ । ହେଲେ ବିକ୍ଷୋଭକାରୀ  ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜିଦରେ ଅଟଳ ରହି ଥିଲେ । ତେବେ  ୮ ଘଣ୍ଟା  ବିତିବା ପରେ ବିଏସ୍‌ଏନ୍‌ଏଲର ଏସଡିଓ ସୁରେଶ ଚନ୍ଦ୍ରଙ୍କ ସହ ପୁଲିସ ଅଧିକାରୀ କଥା ହୋଇଥିଲେ ।  ଏସଡିଓ ସେମାନଙ୍କୁ ୩ ଦିନ ମଧ୍ୟରେ ନେଟୱାର୍କ କାର୍ଯକ୍ଷମ କରାଯିବାକୁ ପ୍ରତଶ୍ରୁତି ଦେଇଥିଲେ । ସେହିପରି ଅନ୍ୟ ସମସ୍ୟାର ସମାଧାନ ମଧ୍ୟ ଖୁବ ଶୀଘ୍ର କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ବିକ୍ଷୋଭକାରୀ ଆନ୍ଦୋଳନରୁ ଓହରିଛନ୍ତି । ପ୍ରଶାସନ ପ୍ରତିଶ୍ରୁତି ପୂରଣ ନ କଲେ ପୁଣି ଆନ୍ଦୋଳନ ଭୟଙ୍କର ରୂପ ନେବ ବୋଲି  ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଧା ।