ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପାଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ରାଜ୍ୟସରକାର ଗୁରୁତର ସହ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବୁଧବାର ଉକ୍ତ ଗାଁରେ ଆରଡିସି ରୁପା ରୋଶନ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତାଙ୍କ ସହ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ମଧ୍ୟ ଉପସ୍ଥିତ ରହିଥିଲେ । ଆରଡିସିଙ୍କ ତଦନ୍ତ ସମୟରେ ମୃତକଙ୍କ ପରିବାର ଏବଂ ଗୁରୁତରଙ୍କ ପରିବାରଙ୍କୁ ଭେଟି ପଚରାଉଚରା କରିଛନ୍ତି । ପୁଣି ଆସନ୍ତା ୧୧ରେ ଆରଡିସି ରୁପା ରୋଶନ ସାହୁ ମାଣ୍ଡିପଙ୍କା ତଦନ୍ତ ପାଇଁ ଆସିବେ ଓ ତଦନ୍ତ ରିପୋର୍ଟ ଗଣମାଧ୍ୟମକୁ ଜଣାଯିବ ବୋଲି କହିଛନ୍ତି । ସେଠାରୁ ଫେରି ଆରଡିସି ବ୍ରାହ୍ମଣୀଗାଁ ବହୁମୁଖି ସମବାୟ ସମିତି ଯେଉଁଠି ପଡିଏସ ଚାଉଳ ବଣ୍ଟନ କରାଯାଇ ଥିବା କେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସେଠାକାର ପରିବେଶ ଦେଖି ଆରଡିସି ଉଦ୍ବେଗ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇବାପରେ ଆରଡିସିଙ୍କ ଏହା ପ୍ରଥମ ତଦନ୍ତ ବୋଲି ଜଣାପଡିଛି । ଏହି ତଦନ୍ତ ସମୟରେ ବିଭିନ୍ନ ବିଭାଗ ଅଧିକାରୀ ମାନେ ଉପସ୍ଥିତଥିଲେ ।