ସରକାର ଶୁଣିଲେନି ରାଜ ରାସ୍ତାକୁ ଓହ୍ଲାଇଲେ ଜନତା: ନେଟୱର୍କ, ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରତିବାଦରେ ସିକରମାହା ଠାରେ ରାସ୍ତା ରୋକ, ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡି ରାସ୍ତା ରେ ଯାନବାହନ ଚଳାଚଳ ଠପ୍ …

ଦାରିଙ୍ଗବାଡି(ଆଶୋକ ସିଂ): ସରକାର ଶୁଣିଲେନି l ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଲେ ସାଧାରଣ ଜନତା l କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ତାଯୁଙ୍ଗିଆ ପଞ୍ଚାୟତର ସିକରମାହା ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନେଟୱର୍କ, ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରତିବାଦରେ ବୁଧବାର ଦିନ ସକାଳ ପ୍ରାୟ ୬ଟାରୁ ରାସ୍ତାରୋକ ଆରମ୍ଭ ହୋଇଛି । ଯାହା ପାଇଁ ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହେବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ଆଜି ମେଧାବୃତ୍ତି ପରୀକ୍ଷା ଚାଲି ଥିବା ବେଳେ ବ୍ରାହ୍ମଣୀଗାଁ ଅଞ୍ଚଳର ଛାତ୍ରଛାତ୍ରୀମାନେ ଦାରିଙ୍ଗବାଡି ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସୂଚନା ଅନୁଯାୟୀ ଶିକର ମାହାରେ ଟାୱାର ଅଛି କିନ୍ତୁ ପ୍ରାୟ ୯ମାସ ହେବ ନେଟୱର୍କ କାମ କରୁନାହିଁ, ମେଡ଼ିକାଲ ଅଛି କିନ୍ତୁ ପ୍ରାୟ ଏକ ବର୍ଷ ହେଲାଣି ଡାକ୍ତର ପଦବି ଖାଲି ପଡ଼ିଛି ଯାହା ଫଳରେ ଅଞ୍ଚଳରେ ରୋଗୀସେବା ପ୍ରଭାବିତ ହେଉଛି l ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଅଛି କିନ୍ତୁ ତାହାକୁ ବିଶୋଧନ କରାଯାଉ ନାହିଁ l ଏସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ବାରମ୍ଵାର ଜଣା ଯାଇଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ l ଏଣୁ ବାଧ୍ୟ ହୋଇ ଆଜି ସାଧାରଣ ଜନତା ରାଜ ରାସ୍ତାକୁ ଓହ୍ଲାଇ ଥିବା ବେଳେ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେନି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଆନ୍ଦୋଳନ କାରୀ l ଆଜିର ଏହି ରାସ୍ତା ରୋକ ଆନ୍ଦୋଳନରେ ଦାଦାରାଡ଼ି, ମହାଗୁଡ଼ି, ଟେକଙ୍ଗିଆ, ପିଡ୍ଡଡମାହା ଗ୍ରାମର ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିବା ଜଣା ପଡ଼ିଛି ।