ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଆଜି ସବୁଠି ଆଲୋକର ପର୍ବ ଦୀପାବଳି ପାଳନ ମହା ଆନନ୍ଦର ସହ ପାଳନ ହେଉଥିବା ବେଳେ ମୁଣ୍ଡମରାଇ ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ । ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ଗ୍ରାମର ଗଦେଇ ସାହିର ବିଜୟ ବେହେରାଙ୍କ ଘରେ ଆଜି ସନ୍ଧ୍ୟା ସାତ ଘଣ୍ଟା ସମୟରେ ରୋଷେଇ ଘରୁ ଆକସ୍ମିକ ନିଆଁ ଲାଗିବା ଫଳରେ ଦୁଇ ବଖରା ଚାଳ ଘର ସମ୍ପୂର୍ଣ ନିଆଁରେ ପୋଡ଼ି ଜଳି ଛାରଖାର ହୋଇଯାଇଛି । ଖବର ପାଇ ଧରାକୋଟ ଦମକଳ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିଶମ ଅଧିକାରୀ ରୁଦ୍ରମାଧବ ମଲିକ, ଚିତ୍ତରଞ୍ଜନ ସାହୁ, ପବିତ୍ର ବେହେରା, ଯୁଗଳ ଦିଗାଲ, ଗୋପୀନାଥ ନାୟକ ଆପ୍ରାଣ ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିଲେ । ମିଳିଥିବା ବିବରଣୀ ଅନୁଯାୟୀ ଏହି ଅଗ୍ନିକାଣ୍ଡରେ ବିଜୟଙ୍କ ଘରେ ଥିବା ଆସବାବ ପତ୍ର, ଖାଦ୍ୟ ଶସ୍ୟ ଓ ନଗଦ ଟଙ୍କା ଜଳିପୋଡ଼ି ଛାରଖାର ହୋଇଯାଇଛି । ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।