ବିଜେଡିର ଲୋକସଂପର୍କ ପଦ ଯାତ୍ରାରେ ବିଜେପିକୁ ଟାର୍ଗେଟ୍…

ମୋହନା(ମିହିର ପ୍ରସାଦ ମାଳୀ): ଗତ ବିଜେଡି ସରକାର ସମୟରେ ଆଣିଥିବା ବିକାଶ ମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ଆରମ୍ଭ ହୋଇଥିଲା ଜନସମ୍ପର୍କ ପଦଯାତ୍ରା । ଏବେ ରାଜ୍ୟରେ ଶାସନ ପରିବର୍ତ୍ତନ ସହ ଆସିଛି ବିଜେପିର ମୋହନ ସରକାର । ହେଲେ ଲୋକଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟରେ ଏବେ ବି ବିଜେଡି ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟସାରା ଜାରି ରହିଛି ଜନସଂପର୍କ ଯାତ୍ରା । ଏହି କ୍ରମରେ ଆଜି ଗଜପତି ଜିଲ୍ଲା ମୋହନା ବ୍ଲକରେ ମଧ୍ୟ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜଗବନ୍ଧୁ ଦାସଙ୍କ ଆହ୍ବାନକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ପ୍ରାଥୀ ଭୃଗୁ ବକ୍ସିପାତ୍ର, ପାରଳା ବିଧାୟକ ରୁପେଶ ପାଣିଗ୍ରାହି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, TDCC ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଗମାଙ୍ଗ ପ୍ରମୁଖ ବିଜେପି ସରକାରର ଅପାରଗତା, ଓଡିଆ ଅସ୍ମିତି କହି ନବୀନ ସରକାରଙ୍କ ଯୋଜନାର କେବଳ ନାମ ପରିବର୍ତ୍ତନ କରି ସାବାସୀ ନେଇ ମାଗଣା ବିଜୁଳି, ବର୍ଦ୍ଧିତ ଭତ୍ତା ଓ ଏମ୍.ଏସ୍.ପି ନାରେ ଲୋକଙ୍କୁ ଭୂଆାଁ ବୁଲାଉଥିବା ଅଭିଯୋଗ କରି ବର୍ଷିଛନ୍ତି । ସୁଭଦ୍ରା ଟଙ୍କା ଲୋଭ ଦେଖାଇ ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବା ମୋହନ ସରକାର ମିଶନ ଶକ୍ତିର ପଞ୍ଚାୟତ ସ୍ତରର ମହିଳାଙ୍କୁ ୬ମାସ ହେଲା ଦରମା ଦେବାରେ ଅସମର୍ଥ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତୃବୃନ୍ଦ । ତେବେ ଏହି ପଦଯାତ୍ରାରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ମୋହନା ଓ ଚନ୍ଦ୍ରଗିରି ଜିଲ୍ଲା ପରିଷଦ ଚନ୍ଦ୍ରକୁମାର ମଲ୍ଲିକ ଏବଂ ସୁନିଲ ବିଶୋୟୀଙ୍କ ସମେତ ଅଞ୍ଚଳର ସମସ୍ତ ବିଜେଡି ନେତା ଓ କର୍ମୀଙ୍କ ସହ ପ୍ରାୟ ୨୦୦୦ ସଂଖ୍ୟକ ମହିଳାପୁରୁଷ ସାମିଲ ହୋଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ବିଜେପିର ମନମୁଖୀ କାର୍ଯ୍ୟ ସମ୍ପର୍କରେ ସଚେତନ କରିଥିଲେ ।