ରାଇରଙ୍ଗପୁର ଗୋଶାଳାରୁ ୮ଟି ଗାଈ ଚୋରି ଘଟଣାକୁ ନେଇ ସହରରେ ଉତ୍ତେଜନା…..

ରାଇରଙ୍ଗପୁର(ଉତ୍ତମ ରାମ): ଚୋରମାନଙ୍କ ଦୌରାତ୍ମ୍ୟା ରାଇରଙ୍ଗପୁର ସହରରେ ବଢି ବଢି ଚାଲିଥିବାର ଦେଖାଯାଉଛି l ଆଗରୁ ଦୋକାନବଜାର, ବ୍ୟାଙ୍କ, ବଡ ବଡ କୋଠାଘରୁ ଚୋରୀ କରାଯାଉଥିବାର ଦେଖାଯାଉଥିବା ବେଳେ ଏବେ ଗୋମାତାଙ୍କୁ ରଖାଯାଉଥିବା ସ୍ଥାନ ଗୋଶାଳାରେ ମଧ୍ୟ ଚୋରମାନେ ନିଜର ପରାକାଷ୍ଠା ଦେଖାଇଛନ୍ତି l ଯାହାକି ପୁଲିସ ପ୍ରଶାସନ ଠାରେ ବିରାଟ ପ୍ରହେଳିକା ସୁଷ୍ଟି କରିଛି l ପ୍ରାପ୍ତ ସୂଚନା ଅନୁଯାୟୀ, ରାଇରଙ୍ଗପୁର ସହରସ୍ତ ଅଳାଁଡୁବା ଗୋଶାଳା ଠାରେ ଗତ ୨୪ ତାରିଖ ଗୁରୁବାର କିଛି ଅଜଣା ଅସାମାଜିକ ଲୋକେ ରାତି ଅଧରେ ଗୋଶାଳାର ପଛ କବାଟ କାଟି ୮ଟି ଗାଈମାନଙ୍କୁ ଚୋରୀ କରିଥିଲେ l ତା ପରଦିନ ୨୫ ତାରିଖ ଶୁକ୍ରବାର ସକାଳେ  ସ୍ଥାନୀୟ ରାଇରଙ୍ଗପୁର ଟାଉନ ଥାନାରେ ୩୦୯ \ ୨୦୨୪ରେ ମାମଲା ରୁଜୁ କରାଯାଇଥିଲା l ତାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରି ତଦନ୍ତ ଆରମ୍ଭ  କରିଛି l ଗତ ୨୬ ତାରିଖ ଶନିବାର ମଧ୍ୟ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି  ଅଧିକ ଛାନବିନ୍ କରିଥିଲେ l  ସୂଚନାଯୋଗ୍ୟ, ୮ଟି ଗାଈ ମଧ୍ୟରୁ ୩ଟି ଗାଈ ଗୋଶାଳାର ଆଖପାଖରେ ମିଳିଥିବାର ସୂଚନା ମିଳିଛି l କିନ୍ତୁ ୫ଟି ଗାଈ ଏ ଯାବତ୍ ନିଖୋଜ ଅଛନ୍ତି l ଆଗକୁ ଏଭଳି ଚୋରି ନ ହେଉ ବୋଲି ଗୋଶାଳା କମିଟୀର କର୍ମକର୍ତ୍ତାଗଣ ଦୁଢଦାବୀ କରିଛନ୍ତି କାରଣ ଏହା ଘୋର ପରିତାପର ବିଷୟ ମନେ ହୁଏ l ଏ ସଂପର୍କରେ ଗୋଶାଳା କମିଟୀର ସଭାପତି ଗୌରୀ ଶଙ୍କର ସାରଡା, ସମ୍ପାଦକ ମୁକ୍ତିଲାଲ ଅଗ୍ରୱାଲ, କୋଷାଧ୍ଯକ୍ଷ ଭଗବତୀ ପ୍ରସାଦ ତୋଡି ଏବଂ କାର୍ଯ୍ୟକାରୀ କର୍ମକର୍ତ୍ତାଗଣ ଘଟଣାର ପର୍ଦାପାଶ କରାଯାଇ ୫ଟି ଗାଈକୁ ଯଥାଶୀଘ୍ର ଧରିବା ପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି l ଉଲ୍ଲେଖଯୋଗ୍ୟ, ଆଗରୁ ଗାଈଗୋରୁମାନଙ୍କୁ ଚୋରାଚାଲାଣ କରାଯାଉଥିଲା l କିନ୍ତୁ ଏବେ ଗୋଶାଳାରୁ ଗାଈଗୋରୁ ଚୋରି ହେବା  ଘଟଣା ସ୍ଥାନୀୟ ଜନମାନସରେ ତୀବ୍ର ଆଲୋଡନ ସୁଷ୍ଟି କରିଛି l