ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅନ୍ତେବାସୀଙ୍କୁ ପୋକଡା ଚାଉଳ ଭାତ ଦିଆଯାଉଥିବା ଅଭିଯୋଗ, ଅଭିଭାବକମାନଙ୍କୁ ପ୍ରଧାନ ଶିକ୍ଷକଙ୍କ ଅଣଦେଖା….

ଦାରିଙ୍ଗବାଡି(ଆଶୋକ ସିଂ): ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ କୋଟି କୋଟି ଅର୍ଥ ବ୍ୟୟରେ ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରି ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ତାହା କାର୍ଯ୍ୟକାରି କରିବାର ପ୍ରୟାସ ଜାରି ରଖିଛନ୍ତି l ବିଶେଷ କରି ଏହି ବର୍ଗର ଶିଶୁମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ଉଚ୍ଚ ଶିକ୍ଷିତ କରିବା ପାଇଁ ବିଭିନ୍ନ ସ୍ଥାନରେ ଆବାସିକ ବିଦ୍ୟାଳୟମାନ ଗଢ଼ି ଉଠିଛି l କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଶିକ୍ଷାନୁଷ୍ଠାନର ପରିଚାଳକମାନେ ଲାଭଖୋର ମନୋଭାବ ରଖି ପିଲାଙ୍କ ଭବିଷ୍ୟତ ଜୀବନକୁ ନେଇ ଖେଳ ଖେଳୁଛନ୍ତି l ଯାହାକୁ ଉଚ୍ଚ କର୍ତ୍ତୃପକ୍ଷ ଘଣ୍ଟ ଘୋଡାଉଛନ୍ତି । ଏପରି ଏକ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ପଞ୍ଚାୟତ ସ୍ଥିତ ଉଲିପଦର୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ । ଏହି ବିଦ୍ୟାଳୟରେ ୨୧୮ ଜଣ ଅନ୍ତେବାସୀ ରହୁଥିବା ବେଳେ ସେମାନଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଯେ ଗତ ଶନିବାର ଦିନ ପୋକରା ଚାଉଳ ରନ୍ଧା ଖାଦ୍ୟ ଅନ୍ତେବାସୀଙ୍କୁ ପ୍ରଦାନ କରାଯାଇ ଥିଲା l ଯାହାକୁ ଅନ୍ତେବାସୀ ନ ଖାଇ ଫୋପାଡ଼ି ଦେଇ ଥିବା ବେଳେ ଆଉ କିଛି ଅନ୍ତେବାସୀ ଭୋକ ସମ୍ଭାଳି ନ ପାରି ଖାଇଦେଇ ଥିଲେ । ଅନ୍ତେବାସୀମାନେ ଭୋକରେ ରହିଥିବା ନେଇ ଅଭିଯୋଗ ହୋଇଛି l ଭଗବାନଙ୍କ କୃପାରୁ କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ଖବର ପାଇ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୋମବାର ଦିନ ଅଭିଭାବକମାନେ ଏକତ୍ରିତ ହୋଇ ଉକ୍ତ ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିବା ପାଇଁ ଆସିଥିଲେ l କିନ୍ତୁ ପ୍ରଧାନ ଶିକ୍ଷକ ମଦନ ମୋହନ ବେହେରା ଅନ୍ୟ ଏକ କାମ ଦେଖାଇ ଅଭିଭାବକମାନଙ୍କୁ ଅଣ ଦେଖା କରି ଚାଲିଯାଇଥିବା ନେଇ ଅଭିଭାବକମାନେ କହିଛନ୍ତି । ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଯକ୍ଷ ବଡମାଝୀଙ୍କୁ ପଚାରିବାରୁ ସେ ଦଶହରା ଛୁଟି ପୁର୍ବରୁ ଉପ ସଭାପତି ମୁରଲୀ ଧର ମଲ୍ଲିକଙ୍କ ସହ ଯାଇ ସ୍ଥାନୀୟ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ଏବଂ ଉକ୍ତ ପୋକରା ଚାଉଳକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଅବା ପୋତି ଦେବାକୁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ଉକ୍ତ ପରାମର୍ଶକୁ ଖାତିରି ନ କରି ମନ ମୁତାବକ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି । ରୋଷେଇ କରୁଥିବା ମହିଳାମାନେ କହନ୍ତି ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଧେଶ ରେ ଯାହା ଆମକୁ ଦିଆଯାଏ ତାହା ରୋଷେଇ କରାଯାଏ ବୋଲି କହିଛନ୍ତି । ତେବେ ସଭାପତି ଓ ଉପସଭାତିଙ୍କ ପରାମର୍ଶ ପରେ ବି କାହିଁକି ସେହି ପୋକରା ଚାଉଳକୁ ରାନ୍ଧି ପିଲାଙ୍କୁ ଖାଇବାକୁ ଦିଆଗଲା l ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ସେଥିପାଇଁ ଦାୟୀ କିଏ ହେବ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ପିଲାଙ୍କୁ ପୋକରା ଚାଉଳ ଦେବ ପୁଣି ଅଭିଭାବକମାନେ ପଚାରିବାକୁ ଆସିଲେ ଅଫିସ୍ କାମର ବାହାନା ଦେଖେଇ ପଳେଇବ ଏ କି ପ୍ରକାର ବ୍ୟବହାର ବୋଲି କହିଛନ୍ତି ଅଭିଭାବକ । ଅଭିଯୋଗ ଆସିବା ପରେ ଚାଉଳ ପରିବର୍ତ୍ତନ କରାଯାଇଛି ବୋଲି ଅନ୍ୟ କର୍ମଚାରୀମାନେ କହୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେହି ପୋକରା ଚାଉଳ ମହଜୁଦ ଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ଦାରିଙ୍ଗବାଡି ବ୍ଲକ ସମ୍ପ୍ରସାରଣ ଅଧିକାରୀଙ୍କୁ ପଚାରିବାରୁ ସେ କିଛି ଜାଣି ନଥିବା କହିଥିଲେ ଏବଂ ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ l ପ୍ରଧାନ ଶିକ୍ଷକ ଅଫିସ କାର୍ଯ୍ୟରେ ବାହାରକୁ ଯାଇ ଥିବା ବେଳେ ନେଟୱର୍କ ସମସ୍ୟା ଯୋଗୁଁ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା । ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଇ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି । ନଚେତ ଆଗମୀ ଦିନରେ ଏହା ଆନ୍ଦୋଳନର ରୂପ ନେବ ବୋଲି ବିପ୍ର କର୍ଜୀ ମାଝୀ, ମିଖାଏଲ୍ ପାଟ ମାଝୀ, ଜୀମେନ୍ଦ୍ର ମଲ୍ଲିକ, ଶରତ ପାଟ ମାଝୀ ସମେତ ସମସ୍ତ ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି ।