ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଆରକ୍ଷୀ ଅଧୀକ୍ଷକଙ୍କ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଏକ ସଚେତନତା ରାଲି ଓ ବିଭିନ୍ନ କାର୍ଯ୍ୟାଳୟରେ ଶପଥ ପାଠର ଆୟୋଜନ କରାଯାଇଥିଲା l ଚଳିତ ବର୍ଷ ୨୮ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି l ସକାଳେ ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ କୁମାର ନାୟକ ସବୁଜ ପତାକା ଦେଖାଇ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ l ଏହି ରାଲିରେ ପାନପୋଷ କ୍ରୀଡା ଛାତ୍ରାବାସର ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଓ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରାଉରକେଲାର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ l ରାଲି ଆରକ୍ଷୀ ଅଧୀକ୍ଷକ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପାନପୋଷରୁ ଆରମ୍ଭ ହୋଇ ପାନପୋଷ ଗାନ୍ଧୀଛକ ଦେଇ କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା l ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବାନ ମହାନନ୍ଦ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l ସେହିପରି ରାଉରକେଲା ଡିଆଇଜି ଶ୍ରୀ ବ୍ରିଜେଶ ରାୟ, ଆରଏମସି କମିଶନର ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ରାଉରକେଲା ଏସପି ଶ୍ରୀ ନୀତେଶ ୱାଧୱାନି ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶପଥ ପାଠ କରିଥିଲେ l ସେହିପରି ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ରାଉରକେଲାର ସମସ୍ତ କାର୍ଯ୍ୟାଳୟରେ ମଧ୍ୟ ସମୂହ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାନଗର ନିଗମ କାର୍ଯ୍ୟାଳୟରେ ଆରଏମସି ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ତରୁଣ କାନ୍ତ ଓ ସହକାରୀ ପୌରାୟୁକ୍ତ ଅଜିତ କୁମାର ପଟ୍ଟନାୟକ, ପ୍ରବର୍ତ୍ତନ ଅଧିକାରୀ ସ୍ଵାଧୀନ କୁମାର ବିଶ୍ଵାଳ ଏବଂ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହିତ ଏକ ଦୁର୍ନୀତିମୁକ୍ତ ବିକଶିତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ ।