ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡରେ ବାତ୍ୟା ଦାନାର ତିବ୍ରତା ଓ ପ୍ରଭାବ କେତେ ରହିବ ତାହା ଆକଳନ ହୋଇ ପାରିନଥିଲେ ମଧ୍ୟ ଏହାର ସଫଳ ମୁକାବିଲା ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ୍ ଲାଇନ୍ ନମ୍ବର ଜାରି ହୋଇଛି ।ଏହା ସହ ପ୍ରତି ବ୍ଲକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଗୁରୁବାର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଛନ୍ତି । ମଧ୍ୟାନ୍ନ ସୁଦ୍ଧା ଉପଖଣ୍ଡ ଅଧିନ ୮ଟି ବ୍ଲକର ୧୮୩୫ ଜଣ ଲୋକଙ୍କୁ ୨୬ ଟି ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେହିପରି ୩୦୦ ରୁ ଉର୍ଦ୍ଧ୍ବ ପ୍ରସୁତି ମହିଳାଙ୍କୁ ମଧ୍ୟ ନିକଟସ୍ଥ ମେଡିକାଲରେ ରଖାଯାଇଛି । ଶୂନ୍ୟ ମୃତାହତ, ସ୍ଥାନାନ୍ତର ଓ ଉଦ୍ଧାର କାର୍ଯ୍ୟକୁ ଉପଖଣ୍ଡ ପ୍ରଶାସନ ଗୁରୁତ୍ୱ ଦେଇଛି । ଉପଖଣ୍ଡ ଅଧିନ ଭଞ୍ଜନଗର ବ୍ଲକର ୫୧୮, ଆସିକାର ୨୨୦, ଧରାକୋଟର ୨୮୦, ଶେରଗଡର ୧୫୦, ସୋରଡାର ୪୮୦, ବୁଗୁଡାର ୧୧୨, ବେଲଗୁଣ୍ଠାର ୬୦ ଓ ଜଗନ୍ନାଥପ୍ରସାଦ ବ୍ଲକର ୧୫ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରି ରଖାଯାଇଛି । ଏହା ସହ ଉପଖଣ୍ଡର ବିଭିନ୍ନ ବିଦ୍ୟାଳୟକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ରୁପେ ବ୍ୟବହାର କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖାଯାଇଛି । ଉପଖଣ୍ଡର ପ୍ରାୟ ୩୦୦ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ୧୦ ଜଣ ମହିଳା ପ୍ରସବ କରିଥିବା ମେଡିକାଲ ସୁତ୍ରରୁ ସୁଚନା ମିଳିଛି । ରୋଗାଗ୍ରସ୍ଥ, ବୃଦ୍ଧବୂଦ୍ଧା, ପ୍ରସୂତି, ଦୁର୍ବଳ ଶିଶୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । କୌଣସି ସ୍ବାସ୍ଥ୍ୟ ସମସ୍ୟା ଉପୁଜିଲେ ସ୍ବାସ୍ଥ୍ୟ ବିଭାଗର ଟିମ୍ ଯଥାଶୀଘ୍ର ପହଞ୍ଚିବାର ବ୍ୟବସ୍ଥା କରାଯାଇଛି । ଗୁରୁବାର ଉପଜିଲ୍ଲାପାଳ ଶ୍ରୀ ସେଠୀଙ୍କ ସମେତ ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର, ବେଲଗୁଣ୍ଠା ବିଡିଓ ଭାରତି ଦେବି, ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରମୁଖ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ ।