ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କାଣ୍ଡ, ଜଣେ ମୃତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିରିଆ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋମବାର ସୁନ୍ଦରଗଡ଼ ସଦରଥାନା ଅଧୀନ ରତନପୁର ଗ୍ରାମରେ । ମୃତ ଯୁବକ ହେଲେ ମନୋଜ ସା(୨୮) । ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହି ଗ୍ରାମର ବିଜୟ ମହାନ୍ଦିଆ(୫୪)ଙ୍କୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି । ଅଭିଯୁକ୍ତ ବିଜୟ ସକାଳ ପ୍ରାୟ ୮ଟା ବେଳେ ଏକ ଛୁରି ଧରି ମନୋଜଙ୍କୁ ଅତର୍କିତ ଆକ୍ରମଣ କରି ପେଟରେ ଭୁସି ଦେଇଥିଲେ । ସ୍ଥାନୀୟ ଲୋକେ ମନୋଜଙ୍କୁ ଗୁରୁତର ଭାବେ ଉଦ୍ଧାର କରି ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପକ୍ଷେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।