ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ରାଜ୍ୟର ପୁରାତନ ରାଜଧାନୀ ତାଳପୁଟ ନିକଟରେ ପୁଣ୍ୟତୋୟା ଋଷିକୂଲ୍ୟା ନଦୀର ତଟଦେଶରେ ତିଳୋତ୍ତମା ଦେଇ ପୁର ଶାସନ ଗ୍ରାମର ପ୍ରସିଦ୍ଧ ଶୈବ ପୀଠ ବିଜେ ବୈଦ୍ୟନାଥଙ୍କ ମନ୍ଦିର ପଶ୍ଚିମ ପଟରେ ମା ଦକ୍ଷିଣ କାଳୀଙ୍କ ମନ୍ଦିର । କାହିଁ କେଉଁ କାଳରୁ ରାଜ ରଜୁଡ଼ା ଅମଳରୁ ମା ସେଠାରେ ଷୋଡଶ ବର୍ଷୀୟା ଯୁବତୀ ଭାବରେ ଉଭା ହୋଇ ପୂଜା ପାଇ ଆସୁଛନ୍ତି । ଏଣୁ ପ୍ରତିଦିନ ମାଙ୍କୁ ଯୁବତୀ ସୁଲଭ ବେଷ ଭୂଷାରେ ଶାଢ଼ୀ ପରିବର୍ତ୍ତନ କରି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ମାଙ୍କ ନିକଟରେ ଦୈନିକ ଅର୍ନ ଭୋଗ ଲାଗି ହେଉଥିବା ବେଳେ ପର୍ବ ପର୍ବାଣୀରେ ଶୁଖିଲା ଭୋଗ ଅର୍ପଣ କରାଯାଏ । ପ୍ରସିଦ୍ଧ ପର୍ବ ପର୍ବାଣୀ ମଧ୍ୟରେ ଆଶ୍ୱିନ ମାସରେ ଶାରଦୀୟ ଷୋଡଶ ଦିନାତ୍ମକ ପୂଜା, ଚୈତ୍ର ମାସରେ ନବରାତ୍ରୀପୂଜା ନଅ ଦିନ ଧରି ପାଳନ ହେଉଥିବା ବେଳେ ପ୍ରତି ମାସର ସଙ୍କରାନ୍ତି ଦିନ ଗାଡି ପୂଜା ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୁଏ । ପର୍ବ ପର୍ବାଣୀ ଦିନରେ ଦୈନିକ ଖେଚୁଡ଼ି, ଡାଲି, ତରକାରୀ ସହ ଆମିଷ ଭୋଗ ମାଙ୍କୁ ସମର୍ପଣ କରାଯାଏ । ଭୋଗ ଅର୍ପଣ ସମୟରେ ସ୍ଵତନ୍ତ୍ର ପୂଜା ସହ ବାଦ୍ୟ, ବାଜଣା, ଘଣ୍ଟ, ଘଣ୍ଟା, କାହାଳୀ ନୀର୍ଣାଦ କରାଯାଏ । ଏହି ଶବ୍ଦ ଶୁଣିବା ଏକ ଶୁଭ ସଙ୍କେତର ବାର୍ତ୍ତା ଦିଏ ବୋଲି ନବ ଶାସନ ଅଞ୍ଚଳର ଏବେ ମଧ୍ୟ ଲୋକେ ବିଶ୍ୱାସ କରନ୍ତି । କେବଳ ଧରାକୋଟ ରାଜ୍ୟ କାହିଁକି ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବରପ୍ରାପ୍ତି ପାଇଁ ମାଙ୍କ ରାତ୍ରି ସମୟର ପୂଜା ପାଇଁ ବେଶ ସୁଖ୍ୟାତି ରହିଛି । ମା ଦକ୍ଷିଣ କାଳୀଙ୍କ ପୀଠରେ ଶାକ୍ତ ପଣ୍ଡିତମାନେ ବରପ୍ରାପ୍ତି ପାଇଁ ଗୁପ୍ତ ପୂଜା ସହ ମହାପୂଜା ନିଶାର୍ଦ୍ଧ ରାତ୍ରୀରେ କରିଥାନ୍ତି । ବାସ୍ତବରେ ମାଙ୍କର ମହିମା ଅପାର । ଏଣୁ ସମଗ୍ର ଅଞ୍ଚଳରେ ବରଦାୟିନି ମା ଦକ୍ଷିଣ କାଳୀ ଭାବରେ ମା ବେଶ ପ୍ରସିଦ୍ଧ ।