ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତି ଅଧ୍ୟକ୍ଷ୍ୟ ଲକ୍ଷ୍ମୀନାରାୟଣ ଶବର ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଗତ ବୈଠକର ବିବରଣୀ ପାଠ ପରେ ବ୍ଲକର ୧୭ ଗୋଟି ପଞ୍ଚାୟତର ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀମାନେ ବୈଠକରେ ନିଜ ନିଜ ବିଭାଗର ସଫଳତା, କାର୍ଯ୍ୟରତ ବିଭିନ୍ନ ପ୍ରକଳ୍ପ ଏବଂ ଆଗାମୀ ଯୋଜନା ଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରଦୀପ କୁମାର ପାଣିଗ୍ରାହି, ମୋହନା ବିଧାୟକ ଦାସରଥି ଗମାଙ୍ଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ ଖର୍ସଲ, ତହସିଲଦାର ଜ୍ୟୈତିର୍ମୟ ଦାସ, ଉପାଧ୍ୟକ୍ଷ୍ୟ ବିଜୟଲକ୍ଷ୍ମୀ ପଟ୍ଟନାୟକ, ଜିଲ୍ଲା ପରିଷଦ ଦଣ୍ଡପାଣି ବଡମୁଣ୍ଡି, ସିଡିପିଓ ଲଳିତା ପୂଜାରୀ, ମେଡିକାଲ ସୁପରିଟେଣ୍ଡଣ୍ଟ ନିବେଦିତା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିବାବେଳେ ସବୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା ତଥା ବ୍ଲକ୍ ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ତେବେ ପୂର୍ବ ସରକାର ଥିବା ସମୟରେ ଆସିଥିବା ଯୋଜନା ଗୁଡିକରେ ଲୋକଙ୍କ ପାଖରେ ଠିକରେ ନପହଞ୍ଚି ତାର ଅସଦ୍ ଉପଯୋଗୀ ଓ ପ୍ରଶାସନର ମନମୁଖୀ ପ୍ରକ୍ରିୟା ଲାଗି ଫେରିଯାଇଥିବା ଅଭିଯୋଗ କରି ନୂତନ ଏକ କମିଟି କରି ତଦନ୍ତ କରିବା ଲାଗି ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଦାବିକରିଥିଲେ । ସେହିପରି କେତେକ ଅଙ୍ଗନଓ୍ବାଡି କେନ୍ଦ୍ରରେ କୌଣସି ପାଠପଢା ହେଉନଥିବା ବେଳେ, କେଉଁଠି ପୁଣି ଛୁଆଙ୍କୁ ଫାଳେ ଅଣ୍ଡା ଦେଉଥିବା ତ କେଉଁଠି କେନ୍ଦ୍ର କୋଠା ଗୁଡିକର ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଥିବା ଅଭିଯୋଗ ଆସିଥିଲା । ପୁଣି କିଛି ସ୍କୁଲରେ ଶିକ୍ଷକ ଡେରିରେ ପହଞ୍ଚି ଶୀଘ୍ର ଫେରିଯାଉଛନ୍ତି ତ ଆଉ କେଉଁ ସ୍କୁଲରେ ଶିକ୍ଷକ ଅଭାବ ଓ କେଉଁ କେଉଁ ସେଣ୍ଟରରେ ଏଏନଏମଙ୍କ ରହୁନଥିବା ଅଭିଯୋଗ ସହ କ୍ବାଟର ମରାମତି ଏବଂ ମେଡିକଲକୁ ଉନ୍ନତିକରଣ ପରି ଅନେକ ସମସ୍ୟା ଅଭିଯୋଗ ଉପସ୍ଥାପନା କରାଗଲା । ତେବେ ଗତ ବୈଠକରେ ମଧ୍ୟ ଏସମସ୍ତ ସମସ୍ୟା ଉପରେ ଅଭିଯୋଗଥିଲା l ପୁଣି ଏହି ଥର ମଧ୍ୟ ସେହି ସମସ୍ୟାର ଅଭିଯୋଗ ଆସିଛି ଓ ବିଭାଗୀୟ ଅଧିକାରୀମାନେ ମଧ୍ୟ ସେସବୁର ସମାଧାନ ଲାଗି ପ୍ରତିସୃତି ଦେଇଛନ୍ତି l ତେବେ ଦେଖାଯାଉ ସସବୁର ସମାଧାନ କେବେ ହେଉଛି ନା ପ୍ରତିସୃତି ପୂର୍ବଭଳି ପାଣିରଗାର ପାଲଟିବ ତାହା ସମୟ କହିବ ବୋଲି ବୈଠକରେ ଉପସ୍ଥିତ ଥିବା ନେତୃ ମଣ୍ଡଳୀ ମତପ୍ରକାଶ କରିଛନ୍ତି ।