କୋକସରା(ତ୍ରିଲୋକ୍ୟ ବବେଶ୍ରା): ଏବେ ପାର୍ବଣ ଋତୁ ଧରା ପୃଷ୍ଠକୁ ଆସିଛି । ତା’ସହିତ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି । କୋକସରା ବ୍ଲକ ମୋଟେର ଗ୍ରାମରେ ଚଳିତ ବର୍ଷ ଦଶାବତାର ଦୁର୍ଗା ପୂଜା ମହାସମାରୋହରେ ଆୟୋଜନ ହେଉଥିବା ବେଳେ ଗୁରୁବାର ସକାଳେ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ଅଧିବାସ ଓ ୧୧ଶହ ୧ ଭବ୍ୟ କଳସ ଯାତ୍ରା ସହ ଦୁର୍ଗା ପୂଜା ଆରମ୍ଭ ହୋଇଛି । ଦୁର୍ଗା ପୂଜା କମିଟି ପକ୍ଷରୁ ମୁଖ୍ୟ ପୂଜା କର୍ତ୍ତା ରୋହନ ପାଟ୍ଟଯୋଷୀ ଓ ନିହାରିକା ପାଟ୍ଟଯୋଷୀ ସପତ୍ନୀକଙ୍କୁ ତାଙ୍କ ବାସଗୃହରୁ କମିଟି ପକ୍ଷରୁ ବାଟ ବରଣ କରିବା ସହ ଘଣ୍ଟ, ଶଙ୍ଖ ସଂକୀର୍ତ୍ତନ ଦଳର ସମାହାରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପୂଜା ମଣ୍ଡପକୁ ପାଛୋଟି ଆଣିଥିଲେ । ଦଶାବତାର ପୂଜାରେ ମୂଖ୍ୟ କର୍ତ୍ତାଙ୍କ ସମେତ ଅନ୍ୟ ୯ ଜଣ ସପତ୍ନୀକ କର୍ତ୍ତା ଭାବେ ରହିଛନ୍ତି । କଳସ ଯାତ୍ରାରେ ଗ୍ରାମ ତଥା ଆଖ ପାଖ ଗାଁର ଶତାଧିକ ମହିଳା, ଯୁବତୀ ମାନେ ୧୧ଶହ ୧ କଳସ ଶୋଭାଯାତ୍ରାରେ ଗ୍ରାମ ନିକଟସ୍ଥ ମହାଦେବ ପୋଖରୀରୁ ପଣ୍ଡିତ ବୈଲୋଚନ ପଣ୍ଡାଙ୍କ ମନ୍ତ୍ର ଉଚ୍ଚାରଣ ପରେ ପବିତ୍ର ଜଳ କଳସରେ ନେଇ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଆଜିର କଳସ ଯାତ୍ରାରେ ସମସ୍ତ କର୍ତ୍ତା ସପତ୍ନୀକ ଉପସ୍ଥିତ ଥିବା ବେଳେ ପୂଜାକମିଟି ସଭାପତି ଦୁଷ୍ମନ୍ତ ପାଟ୍ଟଯୋଷୀ, ଉପ ସଭାପତି ପୁରୁଷୋତ୍ତମ ଝାଙ୍କର, ସମ୍ପାଦକ ଧର୍ମେନ୍ଦ୍ର ଦାସ, ସହ ସମ୍ପାଦକ ସୌମ୍ୟ ସରାଫ, କୋଷାଧ୍ୟକ୍ଷ ସୁଧାରାମ ସରାଫ ଓ ଅନ୍ୟ କର୍ମକର୍ତ୍ତା ମୋଟେର ଅଞ୍ଚଳର ଗ୍ରାମବାସୀମାନେ ଉପସ୍ଥିତ ରହି ମହା ଆଡମ୍ବରରେ ଦୁର୍ଗା ପୂଜା କଳସ ଯାତ୍ରାରେ ସହଯୋଗ କରିଥିଲେ । ମୋଟେର ଫାଣ୍ଡି ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ୧୦ ଦିନ ଦଶାବତାର ଦୁର୍ଗା ପୂଜା ଅବସରରେ ଅନେକ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ନିଆଯାଇଛି ।