ଉତ୍ତର ଘୁମୁସର ବନଖଣ୍ଡରେ ୬୮ ଟି ହାତୀ….

ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ଶୁଭାରମ୍ଭ ଅବସରରେ ଡିଭିଜନ ସ୍ତରୀୟ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରିବା ସହ ହାତୀଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସହ ଆବଶ୍ୟକତା ସଂର୍ପକରେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ବିଶେଷ କରି ଅଧିକାଂଶ ହାତୀଙ୍କ ମୃତ୍ୟୁ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର ଲାଗି ମୃତ୍ୟୁ ଘଟୁଥିବାରୁ ଜଙ୍ଗଲ ଦେଇ ଯାଇଥିବା ବିଦ୍ୟୁତ ତାରକୁ କେବଲିଂରେ ପରିଣତ କରିବାକୁ ପ୍ରକାଶ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ମଣିଷ ହାତୀ ଲଢେଇ ରୋକିବାକୁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ । ବିଶେଷ କରି ମହୁମାଛି ଯେଉଁଠି ଚାଷ ହେଉଥିବ ସେଠାକୁ ହାତୀପଲ ଆସୁନଥିବାରୁ ଜଙ୍ଗଲ ନିକଟବର୍ତ୍ତି ଇଲାକାରେ ଲୋକ ମାନଙ୍କୁ ମହୁମାଛି ଚାଷ ପାଇଁ ପ୍ରୋତ୍ସାହନ ଦେବା ଫଳରେ ହାତୀଙ୍କ ଠାରୁ ରକ୍ଷା ମିଳିବା ସହ ରୋଜଗାର ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଆମ ଭବିଷ୍ୟତ ପାଇଁ ବିପଦ ଭାବେ ଉଭା ହୋଇଥିବା ବେଳେ ଏହାର ପ୍ରଭାବ ଜଙ୍ଗଲ ଜନ୍ତୁଙ୍କ ଉପରେ ପଡୁଛି । ତେଣୁ ସମସ୍ତେ କିଭଳି ସୁରକ୍ଷିତ ପରିବେଶ ପାଇବେ ସେଥି ନିମନ୍ତେ ସବୁ ସ୍ତରରେ ଉଦ୍ୟମ ଦରକାର । ପ୍ରକୃତି ସୁରକ୍ଷା ନକଲେ ଆମର ସୁରକ୍ଷା ହେବନି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବବଧାରକ ସୁରେଶ ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟ ସୁଧିର କୁମାର ଜେନା, କ୍ଷେତମୁଣ୍ଡଳୀ ସମିତିସଭ୍ୟ ନିଳାଞ୍ଚଳ ଖିଲାର, ନିଳ ମାଧବ ପାତ୍ର ପ୍ରମୁଖ ମଞ୍ଚାସୀନ ରହି ଜୈବ ବିବିଧତା, ବନ୍ୟପ୍ରାଣୀ ସୁରକ୍ଷା, ପରିବେଶ ସନ୍ତୁଳନ ଆଦି ସଂର୍ପକରେ ମତବ୍ୟକ୍ତ କରିଥିଲେ । ପରିବେଶରେ ବନ୍ୟପ୍ରାଣୀ ସାରଣୀ, ପଶୁପକ୍ଷୀ, ସରୀସୃପଙ୍କ ଆବଶ୍ୟକତା ସହ ଜଙ୍ଗଲର ସନ୍ତୁଳନ ରକ୍ଷା କରିବାରେ ବନ୍ୟପ୍ରାଣୀଙ୍କ ଉପକାରିତା ସଂର୍ପକରେ ବକ୍ତବ୍ୟ ରଖିଥିଲେ । ଜଙ୍ଗଲ ସୁରକ୍ଷା ପାଭଇଁ ବନ ବିଭାଗ ସମେତ ଜଙ୍ଗଲ ନିକଟବର୍ତ୍ତି ଗ୍ରାମବାସୀ ଓ ବନ ସୁରକ୍ଷା ସମିତି ଗୁଡିକରୁ ବହୁ ଗୁରୁତ୍ବ ରହୁଥିବାରୁ ମିଳିତ ଭାବେ କାର୍ଯ୍ୟ କଲେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଅବଶ୍ୟ ହୋଇପାରିବ ବୋଲି ଡିଏଫ୍ଓ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ବର୍ତ୍ତମାନ ବନଖଣ୍ଡରେ ୬୮ ଟି ହାତୀ ଚଳପ୍ରଚଳ କରୁଥିବା ବେଳେ କିଛି ସ୍ଥାନରେ ବର୍ଷ ତମାମ୍ ହାତୀ ରହୁଛନ୍ତି । ସେଭଳି ଅନୁକୂଳ ପରିବେଶ ସୃଷ୍ଟି ହେଲେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦିଆଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଏଥିରେ ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି, ଶିବ ଶଙ୍କର ପ୍ରଧାନ, ହରି ଶଙ୍କର ରାଉତ, ରମେଶ ପାତ୍ର, ସତ୍ୟବାନ ସ୍ବାଇଁ, ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, ଗାଲେରୀ ରେଞ୍ଜର ଆଶାଲତା ଦିଗାଲ, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତରାଣୀ ପଣ୍ଡା ଓ ସମସ୍ତ ବନପାଳ, ବନରକ୍ଷୀ, ବନ କର୍ମଚାରୀ ଉପସ୍ଥିତ ରହିଥିଲେ । ସନ୍ତୋଷ କୁମାର ଡାକୁଆ ସଂଯୋଜନା କରିଥିବା ବେଳେ ଏସିଏଫ୍ ବିବେକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।