ଫର୍ମ ଫିଲାଫ ଆଳରେ ୭ଛାତ୍ରଙ୍କୁ ନିଜ ଦୋକାନର ରଙ୍ଗ ବୋଳା କାମରେ ନିୟୋଜିତ କଲେ ଖେଳ ଶିକ୍ଷକ…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗ୍ରାମାଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ରହି ପାଠ ପଢିବେ ଏବଂ ଉତ୍ତମ ଜ୍ଞାନ ଆହରଣ କରିବେ ଭଲ ମଣିଷ ହେବେ । ଏଥିପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେତେକ କ୍ଷେତ୍ରରେ ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କୁ ପାଠ ପଢାଇ ଭଲ ମଣିଷ କରିବା ବଦଳରେ ନିଜର ସ୍ବାର୍ଥ ହାସଲ କରିବା ପାଇଁ କେତେବେଳେ ନିଜ ଦୋକାନ ବଜାରରେ ଶିଶୁ ଶ୍ରମିକ ସଜାଉଛନ୍ତି ତ, ଅନ୍ୟ କେତେବେଳେ ବିଦ୍ୟାଳୟର ଶ୍ରେଣୀ କକ୍ଷରେ ଫେନ ନଥିବାରୁ ପିଲାଙ୍କ ହାତରେ ବିଞ୍ଚଣା ଧରି ବିଞ୍ଛୁଥିବା ଘଟଣା ବାରମ୍ବାର ଦେଖିବାକୁ ମିଳିଛି । ଏହା ସମ୍ପୁର୍ଣ୍ଣ ବେଆଇନ ହୋଇଥିଲେ ଶିକ୍ଷା ବିଭାଗୀୟ ଅଧିକାରୀଙ୍କୁ ବେଖାତିର କରି କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଏଭଳି ଦାୟିତ୍ବହୀନ କାର୍ଯ୍ୟ କରିଆସୁଛନ୍ତି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଶିକୁଳିପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ । ଶିକୁଳି ପଦର ସରକାରୀ ବିଦ୍ୟାଳୟ ର ହଷ୍ଟେଲ ରହି ପାଠ ପଢୁଥିବା ୭ ଜଣ ଆଦିବାସୀ ଛାତ୍ରମାନେ ଦୁଇ ଦିନ ଧରି ରଙ୍ଗମରା କାମରେ ନିୟୋଜିତ ଥିଲେ । ଉକ୍ତ ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଏମ ରାଜେନ୍ଦ୍ର ଦୋରା ଚାନ୍ଦିପୁଟ ଗ୍ରାମ ସ୍ଥିତ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ନିଜ ଚୁଡ଼ି ଓ ଷ୍ଟେସନାରୀ ଦୋକାନର ଚୁନମରା କାମରେ ଛାତ୍ରଙ୍କୁ ଲଗାଇଥିଲେ । ତେବେ ସକାଳ ୧୧ଘଣ୍ଟ ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧିର ପ୍ରଧାନ କୈାଣସି କାମରେ ମୋହନାରୁ ରାମଗିରି ଅଭିମୁଖେ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ, କ୍ରିଡ଼ା ଶିକ୍ଷକ ରାଜେନ୍ଦ୍ର ଦୋରା, ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ହଷ୍ଟେଲ ଆଦିବାସୀ ଛାତ୍ର ଦୋକାନ କବାଟରେ ରଙ୍ଗ ଲିପୁଥିବା ଦେଖିବାକୁ ପାଇଥିଲେ । କାମ କରୁଥିବା ପିଲାଙ୍କୁ ସେ ପଚାରିବାରେ ସାତ ଜଣ ଛାତ୍ରଙ୍କୁ ସାର ଦୁଇ ଦିନ ହେବ ଫର୍ମ ଫିଲପ୍ ନିମନ୍ତେ ଡାକିଛନ୍ତି । ହେଲେ ଚୁନ ମାରିବା ସହ ଦୋକାନ ସଫେଇ କାମରେ ଲଗାଇଥିବା ଛାତ୍ର ଦ୍ବୟ ପ୍ରକାଶ କରିଥିଲେ । ଏଭଳି ପରିସ୍ଥିତିରେ ସଭାପତିଙ୍କ ଉପସ୍ଥିତ ଦେଖି ସମ୍ପୃକ୍ତ ଶିକ୍ଷକ ସେଠାରୁ କେଉଁଆଡେ ଚମ୍ପଟ ମାରିଥିଲେ। ସାତ ଜଣ ଛାତ୍ର ମଧ୍ୟରୁ ଦୁଇ ଛାତ୍ରକୁ ବିଦ୍ୟାଳୟ ସଭାପତି ନିଜ ଖର୍ଚ୍ଚରେ ବସରେ ବସାଇ ବିଦ୍ୟାଳୟ ପଠାଇଥିଲେ ଏବଂ ଅନ୍ୟ ପାଞ୍ଚ ଜଣ ଛାତ୍ରଙ୍କୁ ଘରେ ଲୁଚାଇଥିଲେ । ଘଟଣାକୁ ସଭାପତି ସୁଧୀର ପ୍ରଧାନ ଦୃଢ ନିନ୍ଦା କରିବା ସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଭଦ୍ରା ଦେବିଙ୍କୁ ଫୋନଯୋଗେ ପଚାରି ବୁଝିବାରେ ଘଟଣାକୁ ଅତି ହାଲକା ଭାବେ ନେଇଥିଲେ ଏବଂ ସମ୍ପୃକ୍ତ କ୍ରିଡ଼ା ଶିକ୍ଷକ ହଷ୍ଟେଲ ପରିଚାଳନା ଦାୟିତ୍ବରେ ଅଛନ୍ତି । ପିଲାଙ୍କୁ ବିଦ୍ୟାଳୟରୁ ଡାକିନେବା ବିଷୟରେ କୈାଣସି ଅବଗତ ନଥିବା କହିଛନ୍ତି ।‌ ପିଲାଙ୍କୁ ବ୍ୟକ୍ତିଗତ କୈାଣସି କାମରେ ନିୟୋଜିତ କରିବା କଥା ନୁହେଁ। ସମ୍ପୃକ୍ତ ଶିକ୍ଷକ ଏଭଳି ଅନେକ ଭୁଲ ବାରମ୍ବାର କରିଆସୁଛନ୍ତି ଏଥିପାଇଁ ତାଗିଦ୍ କରାଯାଇଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।