ହିଞ୍ଜିଳିକାଟୁ ବ୍ଳକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଆଜି ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁରୁରେ ଅଧ୍ୟକ୍ଷ ସୁଜିତ୍ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବ୍ଳକ ଶିକ୍ଷାଧିକାରୀ ଏସ୍.ଗିରିଧର ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଯୋଗ ଦେଇଥିଲେ । ଏଥିରେ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ସର୍ବମୋଟ ୨୧ ଜଣ ଛାତ୍ରଛାତ୍ରୀ ନିଜର ବିଜ୍ଞାନ ଶିକ୍ଷକଙ୍କ ସହ ଅଂଶଗ୍ରହଣ କରିଥିଲେ ।  ବିଚାରକ ଭାବେ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ (ସ୍ଵୟଂଶାସିତ)ହିଞ୍ଜିଳିକାଟୁର ଉଭିଦ ବିଜ୍ଞାନ ଅଧ୍ୟାପିକା ସୁପ୍ରିୟା ଦେବୀ ଓ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁକୁଡ଼ାଖଣ୍ଡିର ପଦାର୍ଥ ବିଜ୍ଞାନ ଅଧ୍ୟାପକ ବିଭୁ ପ୍ରସାଦ ପାତ୍ର ଯୋଗ ଦେଇଥିଲେ । ଏଥିରେ କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ କ୍ରୀଷ୍ଣା ସାହୁ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ । ଦ୍ଵିତୀୟ ସ୍ଥାନରେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ହିଞ୍ଜିଳିକାଟୁର ଛାତ୍ରୀ ସନ୍ଧ୍ୟା ରାଣୀ ପାଢ଼ୀ  ଓ ତୃତୀୟ ସ୍ଥାନରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡି.ପାଟପୁରର ରିହା ପ୍ରଧାନ ପୁରସ୍କୃତ ହୋଇଥିଲେ । ତତ୍ ସହିତ ଆଜି ବିଦ୍ୟାଳୟରେ ଏକାଧାରାରେ ହିଞ୍ଜିଳିକାଟୁ ବ୍ଳକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମାସିକ ବୈଠକ ଓ ପ୍ରାଥମିକ ଶିକ୍ଷକମାନଙ୍କ ମାସିକ କ୍ଳଷ୍ଟର ସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକର ସମସ୍ତ ବିଜ୍ଞାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।