ମାଟି ତଳୁ ବାହାରୁଛି ଧୂଆଁ, ଜମୁଛି ଲୋକଙ୍କ ଭିଡ…..

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତର ନାରାୟଣ ପୁର ଶାସନ ଗାଁ ନଦୀ ରାସ୍ତା ପାର୍ଶ୍ବ ମାଟି ତଳୁ ଅପରାହ୍ନ ପାଞ୍ଚଟା ସମୟରେ ଅଚାନକ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ନାରାୟଣ ପୁର ଶାସନ ଗାଁ ଠାରୁ ଋଷିକୂଲ୍ୟା ନଦୀକୁ ଯାଇଥିବା ରାସ୍ତା ପାର୍ଶ୍ଵରେ ବସୁଧା ଯୋଜନାର ପାଣି ଟାଙ୍କି ରହିଛି । ଏହାର ପାର୍ଶ୍ଵ ଜମିରୁ ଝିପି ଝିପି ବର୍ଷା ପରେ ଅପରାହ୍ନ ପାଞ୍ଚଟା ସମୟରେ ହଠାତ ଧୂଆଁ ବାହାରୁଥିବା ନଦୀକୁ ଯାଉଥିବା ଲୋକେ ଦେଖିବା ପରେ ସେଠାରେ ଧୀରେ ଧୀରେ ଭିଡ ଜମୁଥିବା ଦେଖା ଦେଇଛି l ଏପରିକି ସଂପୃକ୍ତ ଧୂଆଁ ବାହାରୁଥିବା ଆଖ ପାଖର ମାଟି ମଧ୍ୟ ଉତପ୍ତ ହୋଇ ଯାଇଛି । ଆଜି ସକାଳୁ ପାଗ ମେଘୁଆ ରହିଥିବା ବେଳେ ଅପରାହ୍ନରେ ସ୍ୱଳ୍ପ ଧରଣର ବର୍ଷା ହୋଇ ମାଟି ଭିଜି ଯାଇଥିଲା । ବର୍ଷା ବନ୍ଦ ପରେ ନଦୀକୁ ଗାଧୋଇବାକୁ ଯାଉଥିବା ଲୋକେ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହି ଖବର ଧୀରେ ଧୀରେ ଆଖ ପାଖ ଗାଁକୁ ବ୍ୟାପିବା ପରେ ଏହା ଦେଖିବା ପାଇଁ ବହୁଲୋକ ସେଠାରେ ରୁଣ୍ଡ ହୋଇଛନ୍ତି । ମାଟି ତଳେ କିଛି ରାସାୟନିକ ଓ ମୂଲ୍ୟବାନ ପଦାର୍ଥ ରହିଥିବାର ଅନୁମାନ କରାଯାଉଛି । ଏଣୁ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାଟିକୁ ପରୀକ୍ଷଣ କରି ସତ୍ୟା ସତ୍ୟ ଉନ୍ମୋଚନ ପାଇଁ ଲୋକେ ଦାବୀ କରିଛନ୍ତି ।