ଧରାକୋଟ ତାଳୁକା ବଢେଇ କୁଳର ବିଶ୍ଵକର୍ମା ପୂଜା ଓ ସାଧାରଣ ସଭା ଅନୁଷ୍ଠିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଦକ୍ଷିଣ ଓଡ଼ିଶା ବିଶ୍ଵକର୍ମା ସମାଜର ଧରାକୋଟ ତାଳୁକା ବଢେଇ କୁଳ ତରଫରୁ 46 ତମ ତାଲୁକ ସ୍ତରୀୟ ବିଶ୍ଵକର୍ମା ପୂଜା ସହ ସାଧାରଣ ସଭା ମୁଣ୍ତମରାଇ ନିକଟସ୍ଥ ହିରଖଣ୍ଡି ଗ୍ରାମ ସ୍ଥିତ ବିଶ୍ଵକର୍ମା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ଠାକୁରଙ୍କୁ ମାଜଣା, ସାମୁହିକ ପୂଜା, ହୋମ, ଭୋଗ ଅର୍ପଣ କାର୍ଯ୍ୟ ସମ୍ପନ୍ନ ପରେ ବଢେଇ କୁଳ ସଭାପତି ତାରିଣୀ ଚରଣ ମହାରଣାଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କୁଳର ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସମ୍ପାଦକ ହାଡୁବନ୍ଧୁ ମହାରଣା ସଂପାଦକୀୟ ବିବରଣୀ ପଥକରିଥିଲେ । ଏହା ପରେ ରାଜଶ୍ରୀ ଦୟାନିଧି ମହାରଣାଙ୍କ ଦ୍ଵାରା ମନ୍ଦିର ଶିଳାନ୍ୟାସ ଓ ପ୍ରତିଷ୍ଠା ସମ୍ବନ୍ଧୀୟ ଦୁଇଟି ଫଳକ ଉନ୍ମୋଚନ ହୋଇଥିଲା । ଉପ ସଭାପତି ବାବୁଲା ମହାରଣା, ସହ ସମ୍ପାଦକ ଉମା ଚରଣ ମହାରଣା, ସୁବାସ ଚନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ଡାକ୍ତର ମହାରଣାଙ୍କ ସମେତ ସଭ୍ୟ ବିଜୟ ମହାରଣା, ସୁଧାଂଶୁ ମହାରଣା, ଉପଦେଷ୍ଟା ଖାଦାଳ ମହାରଣା, ଯଜ୍ଞ କମିଟି ମୁଖ୍ୟ ସୁରେନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସଭାରେ କୁଳ ଭାଇମାନଙ୍କୁ ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ ଭାବେ ଗଣନା କରିବା, ବଢେଇ ଶାଳ ଓ କମାର ଶାଳ ପାଇଁ ରିହାତିରେ ଋଣ ପ୍ରଦାନ, ରିହାତି ଦରରେ କାଠ କ୍ରୟ, ସୁଭଦ୍ରା ଯୋଜନାରେ କୂଳର ମହିଳାମାନଙ୍କୁ ସାମିଲ, ବିଶ୍ଵକର୍ମା ପୂଜାକୁ ସରକାରୀ ଛୁଟି ଘୋଷଣା ଦାବୀ ସହ ପ୍ରଯୁକ୍ତି ଜ୍ଞାନ କୌଶଳର ପ୍ରୟୋଗ କରି ଅଧିକ ରୋଜଗାର କରିବା, କନ୍ୟା ଭ୍ରୁଣ ହତ୍ୟା ରୋକିବା, ବାଲ୍ୟ ବିବାହ ବନ୍ଦ କରିବା,ସମସ୍ତେ ପାଠ ପଢ଼ି ସ୍ବାବଲମ୍ବୀ ହେବା ପାଇଁ ଆହ୍ବାନ ଦିଆଯାଇଥିଲା । ପରିଶେଷରେ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାରଣା, ପ୍ରତୀକ୍ଷା ମହାରଣା, ନିବେଦିତା ମହାରଣା, ନିଶି ମହାରଣା, ତେଜସ୍ଵୀନି ମହାରଣା, ବବୁଲ ମହାରଣା, ରିତେଶ ମହାରଣାଙ୍କୁ କୂଳ ତରଫରୁ ପୁରସ୍କାର ସହ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।