ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପଡିଆରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଅଧ୍ୟକ୍ଷତା କରିଥିବା ବେଳେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଭାରପ୍ରାପ୍ତ ଉପ-ଜିଲ୍ଲାପାଳ ଜୟଦେବ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବୀରେନ୍ଦ୍ର କହଁର, କଳାହାଣ୍ଡି ସାଂସଦ ପ୍ରତିନିଧି ଜୟ ଶଙ୍କର ନାଏକ, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପବିତ୍ର ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କର ପରମ୍ପରାକୁ ବଜାଇ ରଖିବା ସହିତ ଛାତ୍ରଛାତ୍ରୀମାନେ ଭଲ ପାଠ ପଢି ଭଲ ମଣିଷ ହେବା ସହିତ ସେବା ମନୋଭାବ ନେଇ ସମସ୍ତେ କାର୍ଯ୍ୟ କରିବା ପାଇଁ ଆହ୍ଵାନ ଦେଇଥିଲେ । ଏହି ଅବସରରେ ଗତ ଦଶମ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୧୭ ଜଣ ଛାତ୍ରଛାତ୍ରୀଙ୍କୁ ଡିଷ୍ଟ୍ରିକ୍ଟ ଏକାଡେମିକ୍ ଆୱାର୍ଡ ସ୍ୱରୂପ ୧୦ ହଜାର ଟଙ୍କାର ପୁରସ୍କାର ରାଶି ହିସାବରେ ମୋଟ ୧୧ ଲକ୍ଷ ୭୦ ହଜାର ଟଙ୍କା, ସମସ୍ତ ବ୍ଲକରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୩୧୮ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ଏକାଡେମିକ୍ ଆୱାର୍ଡ ସ୍ୱରୂପ ୫ ହଜାର ଟଙ୍କାର ପୁରସ୍କାର ରାଶି ହିସାବରେ ମୋଟ ୬୫ ଲକ୍ଷ ୯୦ ହଜାର ଟଙ୍କା, ଓଡ଼ିଆ ବିଷୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୪୫ ଜଣ ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷା ବୃତ୍ତି ସ୍ୱରୂପ ୭ ହଜାର ୫ ଶହ ଟଙ୍କା ହିସାବରେ ମୋଟ ୩ ଲକ୍ଷ ୩୭ ହଜାର ୫ ଶହ ଟଙ୍କା ପ୍ରଦାନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ମଧ୍ୟ ଦିଆଯାଇଥିଲା । ଜିଲ୍ଲାର ଅବସରପ୍ରାପ୍ତ କୃତୀ ଶିକ୍ଷକ ଓ ପ୍ରଧାନଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଡିଲେଶ୍ୱର ରଣା, ଶିକ୍ଷୟତ୍ରୀ ଶ୍ରୁତି ସିଲପା ପଣ୍ଡା, ବର୍ଷା ରାଣୀ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ । ପରେ ପରେ ଭୁବନେଶ୍ଵର ଲୋକସେବା ଭବନରୁ ରାଜ୍ୟ ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହର ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା । ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ କୁମାର ନନ୍ଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏଥିରେ ୧୩ ଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଡିଇଓ ଓ ଡି ପି ସି ଅଫିସର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।