ଗୁଣ୍ଡୁରୀବାଡ଼ିରେ ବ୍ୟାପୁଛି ଝାଡ଼ାବାନ୍ତି, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଗୁଣ୍ଡୁରିବାଡି ଗ୍ରାମରେ ଝାଡାବାନ୍ତିରେ ପୁଣି ଜଣଙ୍କ ମୃତ୍ୟୁ ଘଟିଛି । ଗତ ୧୭ ତାରିଖ ଦିନ ଗ୍ରାମର ଅରକ୍ଷିତ ଗୌଡଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ଗ୍ରାମର କାଳୁ ଚରଣ ନାୟକଙ୍କ ପତ୍ନୀ ସୁକାନ୍ତି ନାୟକଙ୍କ(୫୪) ମୃତ୍ୟୁ ଘଟିଛି । ଏହା ପରେ ଏହି ଘଟଣାକୁ ଗୁରୁତର ସହ ନେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ତହସିଲଦାର ଉମାଶଙ୍କର ବେହେରା, ବିଡିଓ ମନ୍ମଥ କୁମାର ନାୟକ, ଆରଡ଼ବ୍ଳୁଏସ୍ଏସ୍ ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁ, ଭଞ୍ଜନଗର ଓ ଗାଲେରୀ ମେଡିକାଲର ଡାକ୍ତର ଟିମ୍ ଶନିବାର ଗୁଣ୍ଡୁରିବାଡିରେ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତ ୧୫ ଦିନରୁ ଅଧିକ ଦିନ ହେଲା ଏହି ଗ୍ରାମରେ ଝାଡାବାନ୍ତିରେ ୨୦ରୁ ଉର୍ଦ୍ଧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତ ୧୭ ତାରିଖ ଦିନ ଅରକ୍ଷିତ ଗୌଡ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲ୍ ମୃତ୍ୟୁ ବରଣ କରିଥିଲେ । ଏହା ପରେ ସୁକାନ୍ତି ଗତକାଲି ରାତିରେ ମୃତ୍ୟୁ ବରଣ କରିଥିଲେ । ଏଥି ସହ ଏଭଳି ଗତ ୧୫ଦିନ ତଳେ ଗ୍ରାମର ମଙ୍ଗୁଳି ପ୍ରଧାନ(୪୮) ଏବଂ ଅରକ୍ଷିତଙ୍କ ଶାଶୂ ଇନ୍ଧାଗଡ଼ ଗ୍ରାମର ମୂଳି ଗୌଡ଼(୬୩)ଙ୍କ ମୃତ୍ୟୁ ହୋଇଥିବା ବିଧାୟକଙ୍କ ଗସ୍ତ ସମୟରେ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ଓ ଗ୍ରାମବାସୀ ପ୍ରକାଶ କରିଥିଲେ । ବର୍ତ୍ତମାନ ୭ ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଶନିବାର ଆଉ ୫ ଜଣକୁ ଗ୍ରାମରେ ଚିହ୍ନଟ କରାଯାଇଥିବା ବେଳେ ସେମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଶ୍ରୀ ନାୟକ ମୃତକ ମାନଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କହିଥିଲେ । ଏହା ସହ ଗ୍ରାମବାସୀମାନଙ୍କୁ ସତର୍କ ରହିବା ସହ ଡାକ୍ତରୀ ଟିମର ପରାମର୍ଶ ଅନୁଯାୟୀ ସଚେତନତା ଅବଲମ୍ବନ କରିବାକୁ କହିଥିଲେ । ଅସ୍ଥାୟୀ ଭାବେ ଟ୍ୟାଙ୍କର ଯୋଗେ ଗ୍ରାମରେ ପାନୀୟ ଜଳ ଯୋଗାଣ କରିବାକୁ କହିଥିଲେ । ଏହା ପରେ ପ୍ରଶାସନିକ ଅଧିକାରୀଙ୍କ ସହ ମେଡିକାଲରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ ଅବସ୍ଥା ସଂର୍ପକରେ ପଚାରି ବୁଝିବା ସହ ଆବଶ୍ୟକ ପଡିଲେ ବଡ ମେଡିକାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ । ମେଡିକାଲ ଅଧିକାରୀ ଡା.ସନାତନ ବେହେରା, ଡା.ସୀମାଞ୍ଚଳ ଡାକୁଆ, ମୁଜାଗଡ ମେଡିକାଲ ଅଧିକାରୀ ରାଜେଶ କୁମାର ବେହେରା, ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।