ନୟାଗଡ଼(ରତ୍ନାକର ହୋତା): ଦଶପଲ୍ଲା ବ୍ଲକ୍ ବାଣିଗୋଛା ଥାନା ଅନ୍ତର୍ଗତ ଫାଲପାଜୁ ସଂଚାର କାର୍ଯ୍ୟାଳୟ ପରିସରରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ବାଣିଗୋଛା ମଣ୍ଡଳ ସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ପଶ୍ଚିମାଞ୍ଚଳର ସାତଗୋଟି ଗ୍ରାମପଞ୍ଚାୟତର ମଣ୍ଡଳ ସ୍ତରୀୟ ଓ ପଂଚାୟତ ସ୍ତରୀୟ ବରିଷ୍ଠ କର୍ମକର୍ତ୍ତା ଓ ପ୍ରମୁଖମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ବି ଜେ ପି ନେତା ପୂର୍ଣ୍ଣଚନ୍ଦ୍ର ନାୟକ ୨୫ ବର୍ଷ ଧରି ବିଜେଡିର କଳା ଶାସନକୁ ତୀବ୍ର ନିନ୍ଦା କରିଥିଲେ । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁ ସ୍ତରରେ ବିଜେପିର କର୍ମକର୍ତ୍ତାମାନେ ନିଜ ନିଜର ଅଂଚଳର ବିକାଶରେ ସାରଥୀ ସାଜିବାକୁ ଆହ୍ବାନ ଦେଇଥିଲେ । ବର୍ତ୍ତମାନ ଆମ ସଦସ୍ୟତା ୫୦ ଲକ୍ଷରେ ପହଞ୍ଚି ଥିଲାବେଳେ ୭୮ ଜଣ ବିଧାୟକଙ୍କୁ ନେଇ ଆମେ ସରକାର ଗଢିଛେ ଏବଂ ଆଗକୁ ସଦସ୍ୟତା ସଂଖ୍ୟା ୧ କୋଟିରେ ପହଞ୍ଚାଇବାକୂ ସମସ୍ତଙ୍କୁ ନିବେଦନ କରିଥିଲେ । ଅଗଷ୍ଟ ମାସ ଶେଷସୁଦ୍ଧା ଏହି ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମକୁ ସଂପର୍ଣ୍ଣ କରିବାକୁ ଶ୍ରୀ ନାୟକ ସମସ୍ତ କର୍ମକର୍ତ୍ତା, ପ୍ରଭାରୀ, ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ଓ ପଂଚାୟତ ସ୍ତରୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ନାୟକଙ୍କ ସମେତ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବାଣିଗୋଛା ମଣ୍ଡଳ ସଭାପତି କିଶୋର ଦଳବେହେରା, ସଭାପତି ବସନ୍ତ ମୁଦୁଲି, ପ୍ରଦୀପ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ଗୋକୁଳ ନାୟକ ଓ ନରେନ୍ଦ୍ର ବେହେରାଙ୍କ ସହ ଶତାଧିକ କର୍ମୀ ଯୋଗ ଦେଇଥିଲେ ।