ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ଥାନା ଅଧୀନ ଗିରିଆ ନାରାୟଣପୁର ଗ୍ରାମର ଜଣେ ବୃଦ୍ଧା ମଙ୍ଗଳବାର ଋଷିକୁଲ୍ୟା ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ସଂପୃକ୍ତ ଗ୍ରାମର ବଡ ସାହି ବାସିନ୍ଦା ଜୟରାମ ଦଳାଇଙ୍କ ପତ୍ନୀ ନୟନ ଦଳାଇ (୫୯) । ସୂଚନା ପ୍ରକାରେ ନୟନ ମଙ୍ଗଳବାର ଭୋର ସକାଳୁ ଗ୍ରାମ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ । କୌଣସି କାରଣରୁ ସେ ପାଣିରେ ବୁଡି ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପରିବାର ଲୋକେ ତାଙ୍କୁ ନଦୀ ପାଣିରୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏନେଇ ହିଞ୍ଜିଳି ଥାନାରେ କେସ ନଂ – ୨୭/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।