ବ୍ୟାଙ୍କରେ ଲିଙ୍କ ଫେଲ୍: କିଓସ୍କ ବ୍ୟାଙ୍କିଙ୍ଗ କାର୍ଯ୍ୟ ଠପ୍ , କେବେ ସୁଧୁରିବ ବ୍ରାହ୍ମଣୀଗାଁର ଇଣ୍ଟରନେଟ ସମସ୍ୟା ??

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଇଣ୍ଟର ନେଟ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି l କେହି ଅଜଣା ଦୁର୍ବୃତ୍ତ ଜାଣିଶୁଣି ଲଗାତାର ଭାବେ ଇଣ୍ଟରନେଟ କେବୁଲ୍ କାଟି ଚାଲିଛି ହେଲେ ତାର କୌଣସି ପତ୍ତା ମିଳୁନାହିଁ l ଲଗାତାର ଏହି ସମସ୍ୟା ଦେଖା ଦେଉ ଥିବାରୁ ବାଲିଗୁଡ଼ା ଉପଖଣ୍ଡ ବିଏସ ଏନ୍ ଏଲ ବିଭାଗର ଏସ ଡି ଓ ସୁରେଶ ଚିନ୍ତଲ ଚିରୁ ନିଜେ କ୍ଷେତ୍ର ପରିଦର୍ଶନରେ ଆସି ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ । ବ୍ରାହ୍ମଣୀଗାଁରେ ଏକ ମାତ୍ର ବିଏସନେଲ ସଂସ୍ଥା ଇଣ୍ଟରନେଟ ସେବା ଯୋଗାଇ ଆସୁଥିବା ବେଳେ ସେଥିରୁ ଏକ ଶାଖା ସଂସ୍ଥା ବି ବି ଏନ୍ ଏଲ ଫାଇବର ନେଟ ସେବା ଯୋଗାଇ ଆସୁଅଛି l ହେଲେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ଆଜି ପର୍ଯ୍ୟନ୍ତ ଉଚ୍ଚ କ୍ଷମତା ସମ୍ପନ୍ନ ନେଟ ସୁବିଧା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି l ଏସଂପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଭଲ ଭାବେ ଜାଣିଥିଲେ ସୁଦ୍ଧା କୌଣସି ସ୍ଥାୟୀ ପ୍ରତିକାର ହୋଇ ପାରି ନାହିଁ । ଯାହାରି ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ସ୍କୁଲ, କଲେଜ, ବ୍ୟାଙ୍କ, ଥାନା, ମେଡିକାଲ, ରାଜସ୍ୱ, ମୋ ସେବା କେନ୍ଦ୍ର, ଗ୍ରାହକ ସେବା କେନ୍ଦ୍ର ଜନସେବା କେନ୍ଦ୍ର ଆଦିର ସୁବିଧା ଏଠାରେ ଉପଲବ୍ଧ ଥିବାବେଳେ ବଜାର ସୌଦା ଏବଂ ଗମନା ଗମନର ସୁବିଧା ଦୃଷ୍ଟିରୁ ବ୍ରାହ୍ମଣୀଗାଁ ଉପରେ ନିର୍ଭର କରିଥାନ୍ତି ଅଞ୍ଚଳର ଜନସାଧାରଣ । କେବଳ କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ନୁହେଁ ଏହାର ସୀମାନ୍ତ ବର୍ତ୍ତି ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ୧୫ଗୋଟି ପଞ୍ଚାୟତ ଅଞ୍ଚଳର ଲୋକେ ବ୍ରାହ୍ମଣୀଗାଁ ଉପରେ ନିର୍ଭର କରିଥାନ୍ତି। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟ ଗୁଡ଼ିକ ଅନଲାଇନ୍ ଜରିଆରେ କରାଯାଉ ଥିବାରୁ ଅଞ୍ଚଳ ବାସୀଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି l
ଶୁକ୍ରବାର ଦିନ ଅପରାହ୍ନରୁ ନେଟୱାର୍କ କଟି ଯିବାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଲିଙ୍କ ଫେଲ ଥିବା ଜଣାପଡିଛି l ଶନିବାର ପର୍ଯ୍ୟନ୍ତ ଲିଙ୍କ ସଂଯୋଗ ନ ହେବା ଫଳରେ ଦୂର ଦୁରାନ୍ତରୁ ଆସିଥିବା ଗ୍ରାହକ ମାନେ ଦିନ ସାରା ଅପେକ୍ଷା କରି ଶେଷରେ ନିରାଶ ହୋଇ ଫେରିଥିବା ଜଣା ପଡ଼ିଛି । ବିଏସ ଏନ୍ ଏଲର ୫-ଜୀ ସେବା ସଂଯୋଗ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଉଥିବା ବେଳେ ଆଜକୁ ପ୍ରାୟ ଏକ ବର୍ଷ ବିତିଗଲାଣି ୫- ଜି କେବୁଲ ସଂଯୋଗ ହୋଇ ପାରୁ ନାହିଁ l ଅପର ପକ୍ଷରେ ଗଜପତି ଜିଲ୍ଲା ପାଣିଗଣ୍ଡାରୁ ବ୍ରାହ୍ମଣୀଗାଁକୁ ଏକ କେବୁଲ୍ ଲାଇନ କାମଚଳା ଭାବେ ସଂଯୋଗ ହୋଇଛି l ତାହା ଦିନେ ଆସିଲେ ଦୁଇ ଦିନ ବିଛିନ୍ନ ରହୁଛି l ଏକ ବର୍ଷ ବିତିଗଲାଣି ବି ଏସ ଏନ୍ ଏଲ ଗ୍ରାହକମାନଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି l ଏହାକୁ ନେଇ ଗ୍ରାହକଙ୍କ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି l କେବେ ଯେ ଏହା ଆନ୍ଦୋଳନ ର ରୁପ ନେବ କହି ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର କପ୍ରିୟା ପ୍ରୀତି ଯୋଗୁଁ ଦାରିଙ୍ଗବାଡିରୁ ବ୍ରାହ୍ମଣୀଗାଁ କୁ କେବୁଳ ସଂଯୋଗ ହୋଇ ପାରୁ ନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ବ୍ରାହ୍ମଣୀଗାଁ ବି ଏସ ଏନ୍ ଏଲ୍ ଟାୱାରକୁ ଉଚ୍ଚ କ୍ଷମତା ସମ୍ପନ୍ନ ଅର୍ଥାତ୍ ଫୋର୍ – ଜୀ ସେବାରେ ପରିବର୍ତ୍ତନ କରିବା ସହ ଯୁଦ୍ଧ କାଳୀନ ଭିତ୍ତିରେ କେବୁଲ ସଂଯୋଗ କରିବାକୁ ଦାବୀ ହେଉଛି । କେବୁଲ କାଟି ଅଞ୍ଚଳ ବାସୀଙ୍କୁ ହଇରାଣ ହରକତ କରୁଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରି ତାଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।