ଶିକ୍ଷକଙ୍କ ଅବହେଲା, କାର୍ଯ୍ୟାନୁଷ୍ଠାନ ଦାବୀ କଲେ ଗ୍ରାମବାସୀ…

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଲୋଡ୍ରା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ନିୟମିତ ସ୍କୁଲ ଆସୁନାହାନ୍ତି । ଏନେଇ ଜିଲ୍ଲା ଶ୍ରମିକ ମହାସଂଘ ଆବାହକ ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ଗ୍ରାମବାସୀ ଜିଲା ଶିକ୍ଷା ଅଧିକାରୀ କରୁଣାକର ଭୁଏଙ୍କୁ ଭେଟି ଦାବିପତ୍ର ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଡିଇଓ ଭୁଏ ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ମୁତାବକ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ୫ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଛାଡିଦେଲେ ଅନ୍ୟ ୪ ଜଣ ଶିକ୍ଷକ ନିୟମିତ ବିଦ୍ୟାଳୟ ଆସୁନାହାନ୍ତି । ଯେଉଁ ଦିନ ଆସୁଛନ୍ତି ଭୋଜିଭାତ କରି ୪ଟା ପୂର୍ବରୁ ଚାଲିଯାଉଛନ୍ତି । ଏନେଇ ଗ୍ରାମବାସୀ ଏକ ସଭା କରି ଶିକ୍ଷକମାନଙ୍କୁ କହିବା ସତ୍ତ୍ବେ କର୍ଣ୍ଣପାତ କରୁନାହାନ୍ତି । ଶିକ୍ଷକମାନଙ୍କ ଉପରେ ତୁରନ୍ତ ସମ୍ପୃକ୍ତ ଶିକ୍ଷକ କାର୍ଯ୍ୟାନୁଷ୍ଠାନ ପୂର୍ବକ ଅନ୍ୟତ୍ର ବଦଳି କରାଯାଉ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯୁବରାଜ ସିଂ ମାଝି, ପରମାନନ୍ଦ ମାଝି, ଦିନେଶ ମାଝି, ଉର୍ମିଳା ମାଝି, ପ୍ରମିଳା ମାଝି, କୋଶରାମ ମାଝି, ଖେମଚନ୍ଦ ମାଝି, ଖ୍ଲେଶ ଦେବାଙ୍ଗନ, ଜହୁର ସିଂ ମାଝି, ଅନୁକ ରାମ ମାଝିଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି ।