କୋକସରା(ତ୍ରିଲୋକ୍ୟ ବେଶ୍ରା): ମିଲେଟ ମିଶନକୁ ପୂର୍ବତନ ରାଜ୍ୟ ସରକାର ଏକ ମିଶନ ଭାବେ ନେଇ ଚାଷିଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓ ମାଣ୍ଡିଆରେ ଉତ୍ପାଦିତ ଖାଦ୍ୟ ସାମଗ୍ରୀକୁ ବଜାରରେ ବିକ୍ରି କରିବା ପାଇଁ ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ପ୍ରୟାସ ଆରମ୍ଭ କରିଥିଲେ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ କରିବା ପାଇଁ କୃଷି ବିଭାଗ ପକ୍ଷରୁ ସରକାରୀ ସ୍ତରରେ ରହିଥିବା ବିଭିନ୍ନ ଯୋଜନା ବିଷୟରେ ଚାଷିଙ୍କୁ ଅବଗତ କରାଇବା ପାଇଁ ବୁଧବାର କୋକସରା ବ୍ଲକ ସଭାଗୃହ ଠାରେ ଦ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ବ୍ଲକ ସ୍ତରୀୟ ମିଲେଟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଲକ କୋଡ଼ିନେଟର ସୁରେନ୍ଦ୍ର ଜୁଏଡ଼ ପରିଚାଳନା କରିବା ସହ କୋକସରା ବ୍ଲକର ୧୦ ପଞ୍ଚାୟତରେ ଚଳିତ ବର୍ଷ ପାଖାପାଖି ୮ ଶହ ହେକ୍ଟରରେ ମାଣ୍ଡିଆ ଚାଷ କରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ସୂଚନା ଦେଇଥିଲେ । ବ୍ଲକ ଗୋଷ୍ଠି କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ମାଣ୍ଡିଆ ଚାଷ ପାଇଁ ରାଜ୍ୟ ସରକାରଙ୍କ ରହିଥିବା ପ୍ରୋତ୍ସାହନ ଓ ଚାଷିଙ୍କୁ ସହାୟତା ଉପରେ ସୂଚନା ଦେଇଥିଲେ । ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମାଣ୍ଡିଆ ଏକ ଅର୍ଥକାରୀ ଫସଲ ଓ ମାଣ୍ଡିଆରେ ପ୍ରଚୁର ମାତ୍ରାରେ ପୌଷ୍ଟିକ ଉପଦାନ ରହିଛି ଏଣୁ ଚାଷୀମାନେ ଧାନ ଚାଷ ବ୍ୟତୀତ ମାଣ୍ଡିଆ ଚାଷକୁ ମଧ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ସୌରଭ କୁମାର ପାଣିଗ୍ରାହୀ, ପଶୁ ଚିକିତ୍ସା ଅଧିକାରୀ ସୁଜିତ କୁମାର ଶତପଥୀ, ଅତିରିକ୍ତ ମତ୍ସ ଅଧିକାରୀ ମାନବେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ବ୍ଲକର ୨୨ ପଂଚାୟତର ଜନ ପ୍ରତିନିଧି, ଚାଷି, କୃଷି ବିଭାଗ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।