ନୁଆପଡ଼ା(ବିରବଲ ପ୍ରଧାନ): ଏବେ ସମଗ୍ର ଦେଶରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ ହେଉଛି l ଆମ ରାଜ୍ୟରେ ମଧ୍ୟ ପ୍ରତି ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଆଜି ନୂଆପଡା ସଦର ମହକୁମାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନେତୃତ୍ୱରେ ଶହସ୍ରାଧିକ ଛାତ୍ରଛାତ୍ରି, ବିଭିନ୍ନ ବିଭାଗର ଅଧିକାରୀ ଏବଂ ଜନସାଧାରଣ ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରା ରେ ସହର ପରିକ୍ରମା କରିଥିଲେ l ସ୍ଥାନୀୟ ଷ୍ଟାଡ଼ିଅମ ପଡିଆରୁ ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ l ସେଠାରୁ ଏହି ରାଲି ଭାରତ ମାତା ଏବଂ ଆମ ପ୍ରିୟ ଜାତୀୟ ପତାକା ତ୍ରିରଙ୍ଗାର ଜୟଧ୍ୱନି ଦେଇ ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହିତ ଏକତା ଛକ ପର୍ଯ୍ୟନ୍ତ ଯାଇ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଆସିଥିଲା l
ଏହି ସମୟରେ ଦେଶପ୍ରେମ ଧ୍ୱନିରେ ଗଗନ ପବନ ମୁଖରିତ ହୋଇଉଠି ଥିଲା l ସେଠାରେ ସେମାନେ ହର ଘର ତ୍ରିରଙ୍ଗା ସେଲ୍ଫି ପଏଣ୍ଟରେ ଫୋଟ ଉଠାଇ ତ୍ରିରଙ୍ଗା ୱେବ ସାଇଟରେ ଅପଲୋଡ଼ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ମୁଖ୍ୟାଳୟରେ ଥିବା ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ମହିଳା, ସାମ୍ବାଦିକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଯୋଗଦେଇ ତ୍ରିରଙ୍ଗା ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ l ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଏହି ବିଶାଳ ଭବ୍ୟ ଶୋଭାଯାତ୍ରା ଛାତ୍ରଛାତ୍ରୀ ତଥା ଜିଲ୍ଲାବାସୀଙ୍କ ହୃଦୟରେ ଦେଶପ୍ରେମ ଭାବନାକୁ ଆହୁରି ମଜଭୁତ କରିଛି l
Next Post