ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଜିଲ୍ଲା ମେଡିକାଲ ବୋର୍ଡ କରିବା ନିମିତ ବିଭିନ୍ନ ସଂଗଠନ ପକ୍ଷରୁ ଦିର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲା । ଏନେଇ ଓଡିଶା ବିକଳାଙ୍ଗ ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା । ଯାହାକୁ ଗୁରୁତ୍ବର ସହ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ମାସର ୧୨ ତାରିଖରେ ଭିନ୍ନକ୍ଷମମାନଙ୍କୁ ପ୍ରମାଣ ପତ୍ର ଦେବା ପାଇଁ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ବ୍ୟବସ୍ଥା କରାଗଲା । କିନ୍ତୁ ସ୍ବାସ୍ଥ୍ୟ ବିଭାଗର ଆନ୍ତରିକତା ଅଭାବରୁ ଗତ ୧୮ ମାସ ହେଲାଣି ବୋର୍ଡକୁ ଅସ୍ଥିଶଲ୍ୟ, ସ୍ନାୟୁ ଓ ଚକ୍ଷୁ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ଆସୁ ନାହାନ୍ତି । ଦୀର୍ଘ ମାସ ହେବ ଅବ୍ୟବସ୍ଥା ମଧ୍ୟରେ ବୋର୍ଡ ଚାଲୁଥିବା ବେଳେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ବୋର୍ଡକୁ ଆସୁଥିବା ଦିବ୍ୟାଙ୍ଗ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ବୋର୍ଡର ନାମ, ତାରିଖ, ଖୋଲିବା, ବନ୍ଦ ହେବା ସମୟ ଲେଖା ଯାଉ ନାହିଁ । ତିନିଚକିଆ ସାଇକେଲ ନଥିବା ବେଳେ କେହି ସହାୟକ ରହୁ ନାହାନ୍ତି.। ରାମ୍ପ ବ୍ୟବସ୍ଥା ମଧ୍ୟ ନାହିଁ । ଭଞ୍ଜନଗର ଉପଖଣ୍ଡର ଶତାଧିକ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଏଠାକୁ ଆସୁଥିଲେ ମଧ୍ୟ ଏଠାରେ ପାନୀୟ ଜଳର ବ୍ୟବସ୍ଥା ନାହିଁ । ସହାୟକ କେନ୍ଦ୍ର ମଧ୍ୟ ନାହିଁ । ଯାହାକୁ ଓଡିଶା ବିକଳାଙ୍ଗ ମଞ୍ଚ ତୀବ୍ର ନିନ୍ଦା କରିଛି । ସଠିକ୍ ସମୟରେ ପ୍ରମାଣପତ୍ର ପାଇ ପାରୁନଥିବାରୁ ଅନେକ ଦିବ୍ୟାଙ୍ଗ ସରକାରୀ ଯୋଜନାରୁ ବାଦ ପଡୁଛନ୍ତି । ତୁରନ୍ତ ଏହାର ସମାଧାନ ପାଇଁ ଭିନ୍ନକ୍ଷମ କର୍ମୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ଵରେ ଏକ ଭିନ୍ନକ୍ଷମ ପ୍ରତିନିଧି ମଣ୍ଡଳୀ ଭଞ୍ଜନଗର ବିଧାୟକଙ୍କ ସମେତ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ଙ୍କୁ ଅବଗତ କରାଇଛନ୍ତି
। ମାସକ ମଧ୍ୟରେ ଯଦି ଏହାର ସମାଧାନ ନହୁଏ ତେବେ ଶତାଧିକ ଦିବ୍ୟାଙ୍ଗ ତିନିଚକିଆ ସାଇକେଲ ଧରି ରାଜ ରାସ୍ତାରେ ଧାରଣାରେ ବସିବେ ବୋଲି ଶ୍ରୀ ସାହୁ କହିଛନ୍ତି ।