ଗୁଣପୁର(ସୁନିଲ୍ କୁମାର ସାବତ): ରାଜ୍ଯରେ ନୂଆ ସରକାର ଆସିବା ପରେ ଏବେ ଗୁଣପୁର ବାସିଙ୍କ ବହୁ ବର୍ଷର ସ୍ବପ୍ନ ଶାକାର ହେବାର ସମ୍ଭାବନା ଶୃଷ୍ଟି ହେଉଛି । ଡବଲ ଇଞ୍ଜିନ ସରକାର ଠାରୁ ସ୍ଥାନୀୟ ବାସିନ୍ଦାଙ୍କର ଯାହା ଅପେକ୍ଷା ଥିଲା ତାହାହିଁ ହବାକୁ ଯାଉଛି । ଖୁବଶୀଘ୍ର ବହୁ ପ୍ରତିକ୍ଷିତ ଗୁଣପୁର ଥେରୁବାଲି ରେଳ ପ୍ରକଳ୍ପରେ କେନ୍ଦ୍ର ସରକାରଙ୍କ ମୋହର ବାଜିବାକୁ ଯାଉଛି। ଗୁଣପୁର ନବ ନିର୍ମାଣ ସମିତିର ପ୍ରତିନିଧି ଦଳଙ୍କ ଦିଲ୍ଲୀ ଗସ୍ତ ଅବସରରେ ଏକାଧିକ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ରେଳ ମନ୍ତ୍ରଣାଳୟର ବିଭିନ୍ନ ପଦାଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବା ଅବସରରେ ଏଭଳି ସୂଚନା ମିଳିଛି । ଆଜି ବିଶ୍ବ ଜନଜାତି ଦିବସରେ ଏହି ପ୍ରତିନିଧି ଦଳ କେନ୍ଦ୍ର ଜନଜାତି ବ୍ଯାପାର ବିଭାଗର ମାନ୍ଯବର ମନ୍ତ୍ରୀ।ଜୁଏଲ ଓରାମଙ୍କୁ ଦିଲ୍ଲୀ ସ୍ଥିତ ବିଭାଗୀୟ ମନ୍ତ୍ରାଳୟରେ ଭେଟି ଲାଞ୍ଜିଆ ସୌରା କାନ୍ଥଚିତ୍ର ଇଡିତାଲ ସ୍ମୃତି ଫଳକ ସହ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକ ପତ୍ରରେ ସୌରା ଲିପିକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ସହ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥାରେ ଗୁଣପୁର ବ୍ଲକର ଚିନ୍ନାସାରି, କୁଲୁସିଂ, ଜଲତାର, ଟଲଣା, ପୁଟାସିଂ ର ୧୧୬ ଗାଁକୁ ଯୋଡି ଉନ୍ନୟନ କାର୍ଯ୍ଯ କରିବା ଏବଂ ଗୁଣପୁର ଥେରୁବାଲି ରେଳ ପ୍ରକଳ୍ପର ତ୍ବରାନ୍ନିତ ସହ ଅନ୍ଯାନ୍ଯ ରେଳ ବିକାଶ ସମ୍ପର୍କିତ ଦାବି ଜଣାଇଥିଲେ । ଏହାପରେ ରେଲ ମନ୍ତ୍ରାଳୟରେ ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ରେଳବାଇ ବୋର୍ଡ ଅଧ୍ୟକ୍ଷା ଜୟବର୍ମା ସିହ୍ନାଙ୍କୁ ଦିଆଯାଇ ଥିଲା । ଏହି ସ୍ମାରକ ପତ୍ରରେ ଗୁଣପୁର ଥେରୁବାଲି ରେଳ ପ୍ରକଳ୍ପ ର ତ୍ବରାନ୍ନିତ, ନୌପଡା ଠାରୁ ଗୁଣପୁର ମଧ୍ୟରେ ଦ୍ବିତୀୟ ଲାଇନ୍, ବିଶାଖାପାଟଣା ଏକ୍ସପ୍ରେସକୁ ଗୁଣ୍ଟୁରୁ ଯାଏଁ ସଂପ୍ରସାରଣ, ଗରିବ ରଥ କିମ୍ବା ଗୋଦାବରୀ ଏକ୍ସପ୍ରେସକୁ ଗୁଣପୁର ଯାଏଁ ସଂପ୍ରସାରଣ, ଗୁଣପୁର ଟର୍ମିନାଲ ଠାରୁ ଗୋହାଟି ନୂତନ ଟ୍ରେନ ଚଳାଚଳ, ବିଶାଖାପାଟଣା ଓ ପୁରୀ ଏକ୍ସପ୍ରେସରେ ଯାତ୍ରା ବେଳେ ସମ ଦୁରତା ପାଇଁ ସମାନ ଅର୍ଥରାଶି ନେବା ସହ ଦୁଇଟି ଟ୍ରେନରେ ଏସି କୋଚ୍ ବଢେଇବାକୁ ଦାବୀ କରିଥିଲେ । ସେହିପରି କାଶୀନଗର ଓ ତେମ୍ବୁରୁ ଠାରେ ସିଗନାଲ ପୋଷ୍ଟ ଓ ଗୁଣପୁର ଷ୍ଟେସନରେ ଲକ୍ ରୁମ୍, ଆରପିଏଫ ପୋଷ୍ଟ, ଟିକଟ ସଂରକ୍ଷଣ କେନ୍ଦ୍ର, ଯାତ୍ରୀ ପ୍ରତିକ୍ଷାଳୟ, ଫୁଟ୍ ଓଭର ବ୍ରିଜ ନିର୍ମାଣ, ଦ୍ବିତୀୟ ପ୍ଲାଟଫର୍ମର ନିର୍ମାଣ କାର୍ଯ୍ୟ ଶିଘ୍ର ସାରିବା ଦାବି ଉଲ୍ଲେଖ ରହିଛି । ବିଶାଖାପାଟଣା ଏକ୍ସପ୍ରେସକୁ ବଂଶଧାରା ଓ ପୁରୀ ଏକ୍ସପ୍ରେସକୁ ଗଜପତି ନାମରେ ନାମକରଣ କରିବା ସହ ଏହି ଶତାବ୍ଦୀର ରେଳପଥକୁ ଐତିହାସିକ ମାନ୍ଯତା ଦେବାକୁ ଦାବି କରାଯାଇ ଥିଲା । ଏହି ଅବସରରେ ପ୍ରତିନିଧି ଦଳରେ ସାମିଲ ଥିବା ସମିତିର ସଭାପତି ଅକ୍ଷୟ ଦାସ, ସମ୍ପାଦକ ରଂଜିତ ପାଢି, ଆନ୍ଧ୍ର ଓଡ଼ିଶା ରେଳ ବ୍ଯବହାରିକ ସଂଘର ସମ୍ପାଦକ ଗଜେନ୍ଦ୍ର ନାରାୟଣ ପଣ୍ଡା ରେଳ ମନ୍ତ୍ରଣାଳୟର ବହୁ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେ. ରାମ ମୋହନ ନାଇଡୁ, ନିତିନ ଗଡକରୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ଯସଭା ସାଂସଦ ମୁନା ଖାଁ, କୋରାପୁଟ ସାଂସଦ ଶପ୍ତଗିରୀ ଉଲ୍ଲାକା, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ ପ୍ରମୁଖଙ୍କୁ ଭେଟି ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ଅତିଶିଘ୍ର ଗୁଣପୁର ଥେରୁବାଲି ରେଳପଥ ପ୍ରକଳ୍ପକୁ କେନ୍ଦ୍ର ସରକାର କ୍ଯାବିନେଟ୍ ରେ ଅନୁମୋଦନ କରିବାର ଜଥେଷ୍ଟ ସମ୍ଭାବନା ରହିଛି ବୋଲି ସମସ୍ତେ ଆଶା ପ୍ରକଟ କରିଥିବା କହିଛନ୍ତି ।