ଗୁଣୁପୁର ଅଞ୍ଚଳରେ ବଢ଼ି ଚାଲିଛି ବାଲି ଚୋରା ଚାଲାଣ, ଗତିପଥ ବଦଳାଇ ଜନବସତି ମୁହାଁ ହେଉଛି ନଦୀ…

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ଅଞ୍ଚଳରେ ଥିବା ପ୍ରମୁଖ ଚିରସ୍ରୋତା ନଦୀରୁ ଚାଲିଛି ମନ ଇଚ୍ଛା ବାଲି ଖନନ ହେଉ ଥିବା ଅଭିଯୋଗ ହୋଇଛି l ଏହା ଉପରେ କୌଣସି ଅଙ୍କୁଶ ରହୁନ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ଏ ଭଳିକି ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଦିନ ରାତି ବାଲି ଚାଲାଣ ହେଉଛି । ଫଳରେ ନ‌ଦୀ କୂଳ ଖାଇବା ସହିତ ଜନବସତି ଉପରେ ଏହାର ପ୍ରଭାବ ପଡ଼ୁଛି । ଅପର୍ଯ୍ୟାପ୍ତ ବାଲି ବେଆଇନ ଭାବେ ବାଲି ଖନନ ହେବା ଫଳରେ ଭୟଙ୍କର ବନ୍ୟା ଆସିବ ବୋଲି ବିଶେଷଜ୍ଞ ମାନେ ମତପ୍ରକାଶ କରିଛନ୍ତି। ତେବେ ଏନେଇ ସଜାଗ ରହିବା ବଦଳରେ ପୂର୍ବାପେକ୍ଷା ବହୁ ଗୁଣରେ ବେଆଇନ ବାଲି ଖନନ ବଢି ଚାଲିଛି । ନଦୀ ଗର୍ଭରୁ ମେସିନରେ ବାଲି ଖନନ କରି ଟ୍ରକ୍ ଓ ଟିପ୍ପର ଦ୍ବାରା ଖୋଲାଖୋଲି ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ କରାଯାଉଛି । ଆନ୍ଧ୍ରପ୍ରଦେଶର କିଛି ଅସାଧୁ ବ୍ୟବସାୟୀ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ମିଶି ଲିଜ୍ ଅଞ୍ଚଳ ବାହାରେ ମେଶିନରେ ବ୍ୟାପକ ବାଲି ଚୋରା ଚାଲାଣ କରୁଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ସେଠାକାର ନଦୀରେ ମନଇଚ୍ଛା ବାଲି ଖନନ ଉପରେ ରୋକ ଲଗାଇଛନ୍ତି । ଫଳରେ ବର୍ତ୍ତମାନ ଓଡ଼ିଶାର ବାଲି ଆନ୍ଧ୍ରରେ ସୁନା ପାଲଟିଛି । ଯେଉଁଠି ଗୋଟିଏ ଘାଟ ନିଲାମ ଦିଆଯାଇଛି ସେଠାରୁ ବାହାର ନ କରି ଅନ୍ୟ ସ୍ଥାନରୁ ଖନନ ହେଉଛି । ଖଣି ବିଭାଗର ଅସାଧୁ କର୍ମଚାରୀଙ୍କ ସହ ହାତ ମିଶାଇ ମାଫିଆମାନେ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ କରି ଦୈନିକ ଲକ୍ଷାଧିକ ଟଙ୍କାର ମୁନାଫା କମାଉଥିବା ଅଭିଯୋଗ ହେଉଛି । ଗୁଣପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଖନନ ହେଉଛି । ବିଭିନ୍ନ ସ୍ଥାନରେ ଗ୍ରାମବାସୀ ପ୍ରତିବାଦ କଲେ ନାଲିଆଖ୍ ଦେଖାଉଥ‌ିବା ଅଭିଯୋଗ ହୋଇଛି । ସରକାରଙ୍କ ସମସ୍ତ ନିୟମ ଉଲ୍ଲଘଂନ କରି ବାଲି ଖନନ ଚାଲିଛି । ଫଳରେ ନ‌ଦୀର ଓସାର ଦିନକୁ ଦିନ ବଢ଼ିବା ସହ ଗତିପଥରେ ପରିବର୍ତ୍ତନ ଘଟି ଜନବସତି ଆଡ଼କୁ ମାଡ଼ିଆସୁଛି । ଆବଶ୍ୟକ ସ୍ଥାନରେ ନଦୀରେ ପାଣି ରହୁନାହିଁ । ଫଳରେ ଲୋକେ ଚାଷ କରିବାକୁ ପାଣି ପାଇଁ ଛଟପଟ ହେଉଛନ୍ତି । ଖଣି ବିଭାଗ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ବାଲି ଚାଲାଣ ରୋକିବାକୁ ଜିଲ୍ଲା ଖଣି ଅକାରୀ କିମ୍ବା କର୍ମଚାରୀଙ୍କୁ ନେଇ ଏନଫୋର୍ସମେଣ୍ଟ ଟିମ୍ ଗଠନ ହୋଇନାହିଁ । ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି । ଜିଲ୍ଲା ଖଣି ବିଭାଗ ସର୍ବଦା ନିଜର ଅସହାୟତା ପ୍ରକାଶ କରୁଛି । କାରଣ ଚଢାଉ ପାଇଁ କର୍ମଚାରୀ ନାହାଁନ୍ତି ଓ କୌଣସି ଉପକ୍ରମ ମଧ୍ୟ ନାହିଁ । ଏଭଳି କି ନକଲି କାଗଜ ପତ୍ରରେ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ନେଇ ଅଭିଯୋଗ ହେଉଛି । ଜିଲ୍ଲା ବାହାରର ୱାଇଫର୍ମ ଓ ବାରକୋଡ ବ୍ୟବହାର କରାଯାଉଛି । ଏସମ୍ପର୍କରେ ଜିଲ୍ଲା ଖଣି ଅଧିକାରୀ ପର୍ଶୁରାମ ପ୍ରଧାନଙ୍କୁ ପଚାରିବାରୁ ଅଭିଯୋଗ ମିଳିଲେ ଆମେ ତଦନ୍ତ କରୁଛୁ । ବର୍ତ୍ତମାନ ଏହାର ଅନୁଧ୍ଯାନ କରାଯିବ । କର୍ମଚାରୀ ଅଭାବ ଆମ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି । ଦେଖାଯାଉ ପ୍ରଶାସନ କଣ ପଦକ୍ଷେପ ନେଉଛି ଦେଖିବା ପାଇଁ ବାକି ରହିଲା…? ଏହା ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଚୁପ୍ ରହି ଅନ୍ଧ ପାଲଟିବ ବୋଲି ଜନସାଧାରଣ ମନରେ ପ୍ରଶ୍ନ ଉଠିଛି ।