ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜଣେ ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି, ସେ ହେଉଛନ୍ତି ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତର ସରପଞ୍ଚ ତ୍ରିନାଥ ପ୍ରଧାନ । ତାଙ୍କର ୫ ଜଣ ସନ୍ତାନ ଥିବା ପ୍ରମାଣିତ ହେବା ପରେ ଜିଲାପାଳ ତ୍ରିନାଥଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି । ନିର୍ବାଚନରେ ପଞ୍ଚାୟତ ଅଧିନିୟମକୁ ଉଲଂଘନ କରି ତ୍ରିନାଥ ବିଜୟୀ ହୋଇଥିଲେ। ତାଙ୍କର ୨ରୁ ଅଧିକ ସନ୍ତାନ ଥିବା ନେଇ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ସୁରୁଲାଇ ଗ୍ରାମର ପିତର ପ୍ରଧାନ ଅଭିଯୋଗ କରିଥିଲେ । ଏହାର ତଦନ୍ତ ଅନୁସାରେ ଅଙ୍ଗନୱାଡି ସମେତ ଜନ୍ମ ପଞ୍ଜିକୃତ ରେକର୍ଡ, ଆଧାର କାର୍ଡ ଆଦିରୁ ତ୍ରିନାଥଙ୍କ ୧୯୯୪ ପ୍ରଥମ ସନ୍ତାନ, ୧୯୯୮ରେ ଦ୍ୱିତୀୟ, ୨୦୦୨ରେ ତୃତୀୟ, ୨୦୦୬ରେ ଚତୁର୍ଥ ଏବଂ ୨୦୦୯ରେ ପଞ୍ଚମ ସନ୍ତାନ ଜନ୍ମ ଗ୍ରହଣ କରିଥିବା ଜଣାପଡିଥିଲା । ସୂଚନାଯୋଗ୍ୟ ୨୦୨୨ ପଞ୍ଚାୟତ ନିର୍ବାଚନରେ ତ୍ରିନାଥ ମିଥ୍ୟା ସତ୍ୟପାଠ ଦେଇ ସରପଞ୍ଚ ନିର୍ବାଚିତ ହୋଇଥିଲେ । ୨୦୨୩ରେ ତାଙ୍କ ବିରୋଧରେ ୫ ସନ୍ତାନ ଥିବା ନେଇ ଅଭିଯୋଗ ଆସିଥିଲା । ତାହା ପ୍ରମାଣିତ ହେବା ପରେ ଶ୍ରୀ ପ୍ରଧାନ ତାଙ୍କ ପଦବୀ ହରାଇଛନ୍ତି ।