ଦାରିଙ୍ଗବାଡିରେ ବିଶ୍ଵ ଆଦିବାସୀ ଦିବସ ପାଳିତ….

ଦାରିଙ୍ଗବାଡି(ଆଶୋକ ସିଂ ): କନ୍ଧମାଳ ଜିଲ୍ଲା,ଦାରିଙ୍ଗବା ପାଷ୍ଟରାଲ ସଭାଗୃହ ଠାରେ ଆଦିବାସୀ ମହାସଂଘ ଏବଂ କୁଇକୁଳ ସମିତି ଆହ୍ୱାନ କ୍ରମେ ବିଶ୍ବ ଆଦିବାସୀ ଦିବସ ପାଳନ କରାଯାଇଛି । କୁଇକୁଳ ସମିତି ସଭାପତି କରୁଣାକର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ର, ମୁଖ୍ୟ ବକ୍ତା ଭାବେ ତହସିଲଦାର ଶରତ ଶବର, ସମ୍ମାନୀତ ଅତିଥି ଭାବେ କୁଇକୁଳ ସମିତିର ପୂର୍ବତନ ସଭାପତି ଘେନେଶ୍ବର ପ୍ରଧାନ, ଆଦିବାସୀ ମହାସଂଘ ସମ୍ପାଦକ ସନ୍ତୋଷ ପ୍ରଧାନ, ସିର୍କାବର୍ଗ ସମିତି ସଭ୍ୟ ଶ୍ୟାମଘନ ପ୍ରଧାନ, ପାଷ୍ଟର ସଂଘ ସଭାପତି ସୁନିଲ ପ୍ରଧାନ ପ୍ରମୁଖ ଯୋଗ ଦେଇ ଥିଲେ ।
ଏହି ଅବସରରେ ସଂଘ ପକ୍ଷରୁ ସରକାରଙ୍କ ପାଖରେ ବିଭିନ୍ନ ଦାବି ରଖା ଯାଇଥିଲା । ଜଙ୍ଗଲ ଜମିଚିହ୍ନଟ କରି ଯଥା ଶୀଘ୍ର ପଟା ବଣ୍ଟନ, ଜନ ବିରୋଧ ଜଙ୍ଗଲ ସଂରକ୍ଷଣ(ସଂଶୋଧନ )ଆଇନ -୨୦୨୩କୁ ବାତିଲ କରିବା,୧୯୯୬ ପେଶା ଆଇନକୁ ଅବିଳମ୍ବେ ଲାଗୁ କରିବା, ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ସମସ୍ତ କୃଷିଜାତ ଦ୍ରବ୍ୟର ଉପଯୁକୁ ମୂଲ୍ୟ ପ୍ରଦାନ, ଦାରିଙ୍ଗବାଡିରେ ରହିଥ‌ିବା ଡକ୍ଟର ବି.ଆର ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ଯମିକବିଦ୍ୟାଳୟରେ ଡିଗ୍ରୀ ମହାବିଦ୍ୟାଳୟ ଯଥା ଶୀଘ୍ର ଖୋଲିବା, ଦାରିଙ୍ଗବାଡି ମେଡ଼ିକାଲରେ ବିଶେଷଜ୍ଞ ଡକ୍ଟର ପଦବୀ ପୂରଣ, ଦାରିଙ୍ଗବାଡି ଲ୍ୟାମ୍ପରେ ଏମଡି ପଦବୀ ଶୀଘ୍ର ପୂରଣ, ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଘୋଷଣା କରିବା ଭଳି ଦାବି ସମୂହ ରହିଥିଲା । ପାରମ୍ପରିକ ବାଦ୍ୟ ଯନ୍ତ୍ରସହିତ ନାଚ ଗୀତ କରି ବଜାର ପରିକ୍ରମା କରିଥିଲେ । ଏହା ପରେ ଉକ୍ତ ଦାବିପତ୍ରକୁ ପୂର୍ବତ୍ତନ ସମିତି ଅଧ୍ୟକ୍ଷ ଯୁନସ ପ୍ରଧାନ, ଚକ୍ରଧର ମଲ୍ଲିକ, ତିଲୋରୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନ, ସାରାବତୀ ପ୍ରଧାନଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଆଦିବାସୀ ମହାସଂଘର ସଭାପତି ଏଲିଆସ୍ ପ୍ରଧାନ ମଞ୍ଚ ପରିଚାଳନା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।