ବିଶ୍ୱ ଆଦିବାସୀ ତଥା ଭାରତଛାଡ ଦିବସ ଅବସରରେ ଜଳ-ଜମି-ଜଙ୍ଗଲ ଉପରେ ଲୋକଙ୍କ ଅଧିକାର ଦାବିରେ ଜନ ଆନ୍ଦୋଳନ ସଂଗଠନ ଗୁଡ଼ିକର ବିଶାଳ ସମାବେଶ…

ଭବାନୀପାଟଣା(ତୁଳମଣି ନାଗ): ବିଶ୍ୱ ଆଦିବାସୀ ଦିବସ ତଥା ଭାରତଛାଡ ଆନ୍ଦୋଳନର ସ୍ମାରକୀ ଦିବସ ଅବସରରେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜନ ଆନ୍ଦୋଳନ ମାନଙ୍କ ନେତୃତ୍ଵରେ ୯ ଅଗଷ୍ଟ, ୨୦୨୪ ରେ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଏକ ସମାବେଶ ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାୟଗଡ଼ା ରେଳ ଷ୍ଟେସନ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ଏକ ସଭା କରି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ୧୦ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି।

ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍) ଆହ୍ୱାନରେ ଏବଂ ଓଡ଼ିଶାର ପ୍ରମୁଖ ଜନ ଆନ୍ଦୋଳନ ନିୟମଗିରି ସୁରକ୍ଷା ସମିତି(କଳାହାଣ୍ଡି ଓ ରାୟଗଡ଼ା), ମା’ ମାଟି ମାଳି ସୁରକ୍ଷା ମଞ୍ଚ (କାଶୀପୁର ଓ ଥୁଆମୂଳ-ରାମପୁର), ମାଳି ପର୍ବତ ସୁରକ୍ଷା ସମିତି( କୋରାପୁଟ) ହାଲ୍ ବିସ୍ଥାପିତ ସଂଘ, କୋରାପୁଟ, ଖଡିମାଟି ସୁରକ୍ଷା ସମିତି, କୋରାପୁଟ, ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ, ଖଣ୍ଡୁଆଳମାଳୀ ସ୍ଥାୟୀ ସୁରକ୍ଷା ସମିତି, କଳାହାଣ୍ଡି , ଶାଶୁ ବୋହୁ ମାଳି ସୁରକ୍ଷା ସମିତି, କୋରାପୁଟ, ଚାଷୀ ମୂଲିଆ ଆଦିବାସୀ ସଂଘ, ନାରାୟଣପାଟଣା, ଚାଷୀ ମୂଲିଆ ସୁରକ୍ଷା ସମିତି, କନ୍ଧମାଳ ନେତୃତ୍ଵରେ ଓଡ଼ିଶାର ପ୍ରାକୃତିକ ସମ୍ପଦର ଅବିଚାରିତ ଲୁଣ୍ଠନ ବନ୍ଦ କରିବା ଓ ଅନ୍ୟାନ୍ୟ ଦାବିରେ ଏହି ବିଶାଳ ଜନ ସମାବେଶ ଓ ଶୋଭାଯାତ୍ରା ଆୟୋଜନ କରାଯାଉଛି ବୋଲି ସେମାନେ ଘୋଷଣା କରିଛନ୍ତି ।

csp

ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ବେଆଇନ୍ ପ୍ରକ୍ରିୟାରେ ନିଲାମ୍ ହୋଇଥିବା ସମସ୍ତ ଖଣି ଲିଜ୍ ବାତିଲ୍ କରିବା, ବିଭିନ୍ନ ଜନ ଆନ୍ଦୋଳନ ର ନେତା ଓ କର୍ମୀମାନଙ୍କ ନାମରେ ହୋଇଥିବା ସମସ୍ତ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା,
ପୂର୍ବ ସରକାରଙ୍କ ଦ୍ବାରା ପ୍ରାକୃତିକ ସମ୍ପଦର ଅବିଚାରିତ ଦୋହନ ଓ ଲୁଟ୍ ପ୍ରକ୍ରିୟାକୁ ରାଜ୍ୟର ନୂଆ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବନ୍ଦ କରାଯିବା, ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀ ସମେତ ସମସ୍ତ ପାରମ୍ପରିକ ଜଙ୍ଗଲବାସୀଙ୍କ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାରକୁ ସ୍ୱୀକୃତି ପ୍ରଦାନ ଏବଂ ଜବରଦଖଲ ଉଛେଦ ନାମରେ ଭୂମିହୀନ, ଦଳିତ ଓ ବାସହୀନ ଲୋକଙ୍କୁ ଉଚ୍ଛେଦ ଆଦେଶ ପ୍ରତ୍ୟାହାର କରି ସେମାନଙ୍କୁ ଆଇନଗତ ଭାବେ ଜମି ଅଧିକାର ପ୍ରଦାନ କରିବା ଆଦି ଅନ୍ତର୍ଭୁକ୍ତ ।

ସେଠାରେ ଆୟୋଜିତ ସଭାରେ ବିଭିନ୍ନ ଜନ ଆନ୍ଦୋଳନର ନେତୃତ୍ଵ କହିଛନ୍ତ ଯେ ଦୀର୍ଘ ୨୪ ବର୍ଷ ପରେ ଆମ ରାଜ୍ୟରେ ଏକ ନୂଆ ସରକାର ଆସିଛି ଓ ଏକ ଆଦିବାସୀ ମୂଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଗଠନ ହୋଇଛି। ସ୍ୱଭାବିକ ଭାବେ ଓଡ଼ିଶାର ମୋଟ୍ ଜନସଂଖ୍ୟାର ଏକ ଚତୁର୍ଥାଂଶ ଆଦିବାସୀଙ୍କ ସମେତ ପୂର୍ବ ସରକାର ସମୟରେ ବଞ୍ଚିତ ଓ ଶୋଷିତ ବିଭିନ୍ନ ବର୍ଗର ଜନସାଧାରଣ ନୂଆ ସରକାରଙ୍କ ଠାରୁ ଅନେକ କିଛି ଆଶା କରନ୍ତି । ଆମ ରାଜ୍ୟ ଓଡିଶାରେ ହୀରାକୁଦ ଜଳଭଣ୍ଡାର ଠାରୁ ଆରମ୍ଭ କରି ରାଉରକେଲା ଷ୍ଟିଲ ପ୍ଳାଣ୍ଟ – କଳିଙ୍ଗନଗର ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ଓ ତା’ ପରବର୍ତ୍ତୀ ଖଣି ଖନନ ଓ ଶିଳ୍ପ ଦ୍ଵାରା ବିସ୍ଥାପିତ ଲୋକେ ସମ୍ମାନର ସହ ବଞ୍ଚିବାରୁ ବଞ୍ଚିତ ହୋଇଛନ୍ତି । ସେମାନେ ନିଜର ଜୀବିକା ହରାଇବା ସହ ନିଜର ଓ ନିଜ ସମାଜର ପରିଚୟ ମଧ୍ୟ ହରାଉଛନ୍ତି । ଏମାନଙ୍କ ମଧ୍ୟରେ ଆଦିବାସୀଙ୍କ ସଂଖ୍ୟା ସର୍ବାଧିକ ।

ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ, ପେସା, ଜଙ୍ଗଲ ଅଧିକାର ଆଇନ ୨୦୦୬, ଜମି ଅଧିଗ୍ରହଣ ଆଇନ ୨୦୧୩ ର ଧାରା ୪୧ ଅନୁଯାୟୀ ଆଦିବାସୀ ଅଞ୍ଚଳର ଗ୍ରାମସଭାର ବିନା ସମ୍ମତିରେ ଜମି ଓ ଜଙ୍ଗଲ, ଖଣି ଓ ପାଣି ହସ୍ତାନ୍ତର ହୋଇପାରିବ ନାହିଁ। କିନ୍ତୁ ଧଏସବୁ ଆଇନ ଓ ନିୟମକୁ ଉଲଂଘନ କରାଯାଇଥିବା ଯୋଗୁଁ ଅବିଭକ୍ତ କୋରାପୁଟ ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାର ମାଳି ପର୍ବତ, ବଳଦା, ସିଜିମାଳି, କୁଟ୍ରୁମାଳି, କେଟାମେଟା, ଉସ୍କଲଭାଗ, କର୍ଲାପାଟ ଓ ଗନ୍ଧଲପଦା ଜଙ୍ଗଲରେ ଦିଆଯାଇଥିବା ଖଣି ଲିଜ ଗୁଡିକ ବେଆଇନ ଏବଂ ଅସାମ୍ବିଧାନିକ। ବକ୍ସାଇଟ, ଲୁହାପଥର, ମାଙ୍ଗାନିଜ, କ୍ରୋମ, କୋଇଲା ପରି ସୀମିତ ଖଣିଜ ସମ୍ପଦର ସୁରକ୍ଷା ସହ ଭବିଷ୍ୟତ ପାଇଁ ସରଂକ୍ଷଣ ନୀତି ନିର୍ଦ୍ଧାରଣ କରାଯିବା ଆବଶ୍ୟକ। ବକ୍ସାଇଟ, ଲୁହା ପଥର ସମେତ ସମସ୍ତ ପ୍ରାକୃତିକ ସମ୍ପଦ ପାହାଡ଼ରେ ରହିବା ଅତ୍ୟନ୍ତ ଜରୁରୀ । ଜଳବାୟୁ ପରିବର୍ତ୍ତନ ଓ ଆଦିବାସୀ ଅଧିକାର ଲାଗି ଖଣି ଭିତ୍ତିକ ବିକାଶ ନୀତିକୁ ସମ୍ପୁର୍ଣ୍ଣ ପରିତ୍ୟାଗ କରିବା ଆବଶ୍ୟକ।
ଏହି ସମାବେଶରେ ବିଭିନ୍ନ ଗଣତାନ୍ତ୍ରିକ ଜନ ଆନ୍ଦୋଳନର ନେତା ଏବଂ ସେମାନଙ୍କୁ ସମର୍ଥନ ଜଣାଉଥିବା ନେତୃବୃନ୍ଦ ଉପସ୍ଥିତ ରହି ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ନିୟମଗିରି ସୁରକ୍ଷା ସମିତିର ଲିଙ୍ଗରାଜ ଆଜାଦ୍ ସଭା ପରିଚାଳନା କରିଥିବାବେଳେ ଇନସାଫ୍ ତଥା ଏନ୍.ଏ.ପି.ଏମ୍ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ୧୦ ଦଫା ଦାବି ପତ୍ର ଉପସ୍ଥାପନ କରିଥିଲେ । ବକ୍ତାମାନଙ୍କ ମଧ୍ୟରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଦଧି ସିକକା, କୃଷ୍ଣ ସିକକା, ଜୟ କିଷାନ ଆନ୍ଦୋଳନର ଲିଙ୍ଗରାଜ, ମା’ ମାଟି ମାଳି ସୁରକ୍ଷା ମଞ୍ଚର ସୁବାଷ ସିଂ ମାଝୀ, ଲକ୍ଷ୍ମଣ ମାଝୀ, କାର୍ତ୍ତିକ ନାୟକ, କାନ୍ତିଲାଲ୍ ନାୟକ, ଜଳଧର ନାୟକ, ଶାନ୍ତି ମାଝୀ, ମାଳି ପର୍ବତ ସୁରକ୍ଷା ସମିତିର ଦାସିନନ୍ଦୀ ବାଲି, ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘର କମଳ ମାଝୀ, ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତିର ବ୍ରିଟିଶ କୁମାର, କାର୍ତ୍ତିକ ମାଝୀ, ହାଲ୍ ବିସ୍ଥାପିତ ସଂଘର ତ୍ରିଲୋଚନ ମୁଦୁଲି, ଚାଷୀ ମୂଲିଆ ସଂଘର ନାଚିକା ଲିଙ୍ଗା, ଖଡିମାଟି ସୁରକ୍ଷା ସମିତିର ତିଲୋ ଗୁଞ୍ଜିଆ, ଚାଷୀ ମୁଲିଆ ସୁରକ୍ଷା ସମିତିର ବଳଭଦ୍ର ମଳିକ, ଜନ ଅଧିକାର ମଞ୍ଚର ଦଣ୍ଡପାଣି ମହାନ୍ତି, ଜନବାଦୀ କବି ଲେଲିନ କୁମାର, ସାହାରା ପାୱାର ପ୍ଲାଣ୍ଟ ବିରୋଧୀ ଆନ୍ଦୋଳନର ନେତା ବାଳକୃଷ୍ଣ ଷଣ୍ଢ, ଜିନ୍ଦାବାଦ ସଂଗଠନର ତ୍ରିଲୋଚନ ପୁଞ୍ଜି, ଭିଟାମାଟି ବଞ୍ଚାଅ ଆନ୍ଦୋଳନର ଅରୁଣ ଜେନା, ଲୋକମୁକ୍ତି ସଂଗଠନର ଅନନ୍ତ, ଖଣ୍ଡାଧାର ସୁରକ୍ଷା ଆନ୍ଦୋଳନର କେଦାର ମୁଣ୍ଡାରୀ, ସଚେତନ ନାଗରିକ ମଞ୍ଚର ସତ୍ୟ ମାହାର, କୋଡିଙ୍ଗାମାଳି ସୁରକ୍ଷା ସମିତିର ଦିବାକର ସାହୁ, ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତିର‌ ଯୋଗେନ୍ଦ୍ର ମାଝୀ ପ୍ରମୁଖ ବକ୍ତବ୍ୟ ଦେଇଥିଲେ ଓ ଏହି ସଭା ଓ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଏକ ସାତଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।