ନୁଆପଡ଼ା(ବିରବଲ ପ୍ରଧାନ): ମାନବ ଧର୍ମର ପ୍ରଣେତା ସଦ୍ଗୁରୁଦେବ ଶ୍ରୀ ସତପାଲ ଜୀ ମହାରାଜଙ୍କ ଦିବ୍ୟ ନିର୍ଦ୍ଦେଶାନୁକ୍ରମେ ତା.୦୫.୦୮.୨୦୨୪ ରିଖ ଦିନ ନୂଆପଡ଼ା ଜିଲ୍ଲା ଅଧୀନସ୍ଥ ସିରତୋଲ, ଲକ୍ଷ୍ମୀନଗର ସ୍ଥିତ ‘ମାନବ ଉତ୍ଥାନ ସେବା ସମିତି’ ଆଶ୍ରମର ମହାମ୍ ଶ୍ରୀ ଅଜପାନନ୍ଦ ଜୀଙ୍କ ତତ୍ତ୍ବାବଧାନରେ ସମିତିର କାର୍ଯ୍ୟକର୍ତ୍ତାମାନେ ୬ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗରିବ ଛାତ୍ର-ଛାତ୍ରୀମାନଙ୍କୁ ଆବଶ୍ୟକୀୟ ପାଠ୍ୟସାମଗ୍ରୀ ବିତରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଅନ୍ୟ ଶିକ୍ଷକମାନେ ସହଯୋଗ କରିଥିଲେ ଓ ଉକ୍ତ ସେବାକାର୍ଯ୍ୟର ପ୍ରଶଂସା କରିବା ପୂର୍ବକ ଭବିଷ୍ୟତରେ ଏଭଳି ସଦ୍ଭାବନା ପୂର୍ଣ ସେବାକାର୍ଯ୍ୟକୁ ସବୁଠି ସଫଳତାର ସହ ସମ୍ପନ୍ନ କରିବାକୁ ମଧ୍ୟ ଉତ୍ସାହବର୍ଦ୍ଧନ କରିଥିଲେ । ସେମାନେ ନିଜ ବକ୍ତବ୍ୟରେ ଏପରି ସେବାକାର୍ଯ୍ୟ ଆବାଳବୃଦ୍ଧବନିତା ସମସ୍ତଙ୍କ ହୃଦୟରେ ଭ୍ରାତୃଭାବ, ସଦ୍ଭାବନା, ପରୋପକାର, ମୈତ୍ରୀ, କରୁଣା ଏବଂ ପ୍ରେମଭାବ ଜାଗ୍ରତ କରିବା ସହ ଛୋଟ ଛୋଟ ପିଲାମାନଙ୍କୁ ସମାଜ ଓ ଦେଶପ୍ରେମର ପ୍ରେରଣା ଦେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ- ଭୈଷାଦରାହ ପ୍ରାଥମିକ ବିଦ୍ୟାଳୟ, ସିରଗିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବ୍ରାହ୍ମଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗିଧନୀପାନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖପରାପାରା ପ୍ରାଥମିକ ବିଦ୍ୟାଳୟ, ସୋନବାହାଲୀ ପ୍ରାଥମିକ ବିଦ୍ୟାଳୟ, ଫରପୌଦ ପ୍ରାଥମିକ ବିଦ୍ୟାଳୟ ଆଦି ବିଦ୍ୟାଳୟମାନଙ୍କରେ ପାଠ୍ୟସମାଗ୍ରୀ ବିତରଣ କରାଯାଇଥିଲା । ଛୋଟ ଛୋଟ ପିଲାମାନେ ସେମାନଙ୍କୁ ପ୍ରଦତ୍ତ ଏହି ସ୍ନେହୋପହାର ପାଇ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ । ଏହିପରି ଭାବରେ ‘ମାନବ ଉତ୍ଥାନ ସେବା ସମିତି’ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟ ଯଥା: ବିକଳାଙ୍ଗ ଛାତ୍ର-ଛାତ୍ରୀଙ୍କର ସହାୟତା, ପର୍ଯ୍ୟାବରଣ ସୁରକ୍ଷା ନିମନ୍ତେ ବୃକ୍ଷରୋପଣ, ଗରିବ ଛାତ୍ର-ଛାତ୍ରୀମାନଙ୍କୁ ପାଠ୍ୟସାମଗ୍ରୀ ବିତରଣ, ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଔଷଧ ତଥା ଫଳ ବିତରଣ, ବୃଦ୍ଧାଶ୍ରମରେ ଖାଦ୍ୟସାମଗ୍ରୀ ତଥା ବସ୍ତ୍ର ବିତରଣ, ରାସ୍ତାଘାଟ ତଥା ପରିବେଶର ପରିଚ୍ଛନ୍ନତା ଆଦି ଅନେକ ନିଃଶୁଳ୍କ ସେବାକାର୍ଯ୍ୟ କରିଚାଲିଛି ।