ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆଜି ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ଡାକ୍ତର ଗୁଣନିଧି ନାୟକ ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ପାରଳାଖେମୁଣ୍ଡି ପୌର ପରିଷଦ ସମେତ କେରାଣ୍ଡି, କଥଲ କଇଠା, ବାଘଶଳା, ରାଣୀପେଣ୍ଠ ଓ ସିଧାମଡ଼ଙ୍ଗ ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ ୧୧୮ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୯୦ ଗୋଟି, ଗ୍ରାମ ଭିତ୍ତିକ ସମସ୍ୟା ୨୮ ଗୋଟି ଥିବା ବେଳେ ୧୧ ଗୋଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇ ଥିଲା । ଏଥି ସହ ୩ ଜଣକୁ ରେଡ୍ କ୍ରସ ପାଣ୍ଠିରୁ ୪୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରା ଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ମନରେଗା, ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା, ଜଳ ସେଚନ ଏବଂ ରାସ୍ତା ସମସ୍ୟା ଭଳି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।
ଆଜିର ଏହି ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀରେ ନୋଡାଲ ଅଧିକାରୀ ତଥା ଡେପୁଟି କଲେକ୍ଟର କମଳ କାନ୍ତ ପଣ୍ଡା, ଗୋସାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ, ସ୍ଥାନୀୟ ତହସିଲଦାର ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।