କେନ୍ଦ୍ର ବଜେଟ 2024-2025କୁ ନେଇ ଟିକାବାଲି ଏ.ଏମ.ସି.ଏସ କଲେଜରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ…

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ.ସି.ଏସ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ “କେନ୍ଦ୍ର ବଜେଟ୍ ୨୦୨୪-୨୫” ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା‌ । ଉକ୍ତ କର୍ମଶାଳାରେ ସଭାପତିତ୍ବ କରିଥିଲେ ମହାବିଦ୍ୟାଳୟ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ପଣ୍ଡା । ସେ ନିଜର ଅଭିଭାଷଣରେ କେନ୍ଦ୍ର ବଜେଟ୍ ଏକ ଲୋକାଭିମୁଖୀ ବଜେଟ୍ ବୋଲି ଅଭିହିତ କରିଥିଲେ । କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ପାଳ, କେନ୍ଦ୍ର ବଜେଟର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଶ୍ରୀ ଶଙ୍କର ପାଢ଼ୀ କେନ୍ଦ୍ର ବଜେଟର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ । କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଶ୍ରୀ ଜ୍ଞାନରଞ୍ଜନ ଭୋଇ, ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଶ୍ରୀ ରତନ କୁମାର ଦିଗାଲ । କର୍ମଶାଳାରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅର୍ଚ୍ଚିତା ବେହେରା, ଲିଙ୍କିମା ପ୍ରଧାନ, କ୍ରିଷ୍ଣାମୟୀ ଦିଗାଲ, ଇପସିତା ସାହୁ, ଅନୁଶୟା ଦିଗାଲ କେନ୍ଦ୍ରବଜେଟ୍ ୨୦୨୪-୨୦୨୫ ଉପରେ ପ୍ରବନ୍ଧ ଉପସ୍ଥାପନା କରିଥିଲେ । ଜାତୀୟ ସେବା ଯୋଜନାର ଏହି ଏକ ଦିନିଆ କର୍ମଶାଳାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଯୋଜନାର ଉଦ୍ଦେଶ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସର୍ବଶେଷରେ ଜାତୀୟ ସେବା ଯୋଜନାର ଅନ୍ୟତମ ଅଧିକାରୀ ଓଡ଼ିଆ ଅଧ୍ୟାପିକା ଚମ୍ପା ସୋରେନ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l