ରୋଟାରି କ୍ଲବ ପରିସରରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ…

ନୟାଗଡ଼(ରତ୍ନାକର ହୋତା): ଆଜି ହେଉଛି ଓଡ଼ିଆ ସାମ୍ବାଦିକତା ଦିବସ । ୧୮୬୬ ମସିହା ଅଗଷ୍ଟ ୪ ଅର୍ଥାତ ଆଜିର ତାରିଖ ଥିଲା ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ । ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ଭାବେ ‘ଉତ୍କଳ ଦୀପିକା’ ଆତ୍ମପ୍ରକାଶ କରିଥିଲା । କର୍ମବୀର ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ । ପ୍ରଥମେ ଏହା ସାପ୍ତାହିକ ଏବଂ ପରବର୍ତ୍ତୀ ସମୟରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା । ଗୌରୀଶଙ୍କର ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ କଟକ ପ୍ରିଣ୍ଟିଂ କମ୍ପାନୀରୁ ଏହି ଖବରକାଗଜ ପ୍ରକାଶ ପାଉଥିଲା । ଉତ୍କଳ ଦୀପିକା ତତ୍କାଳୀନ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବା ସହ ଓଡ଼ିଆମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ସ୍ବର ଉତ୍ତୋଳନକରି ସାମାଜିକ ସଂସ୍କାର ପାଇଁ ଏହି ଖବର କାଗଜ ଉଦ୍ୟମ କରିଥିଲା । ଉତ୍କଳ ଦୀପିକାର ସଫଳତା ଓଡ଼ିଶାରେ ଖବରକାଗଜ ପ୍ରକାଶନର ଧାରା ସୃଷ୍ଟି କରିଥିଲା । ତେଣୁ ପ୍ରତିବର୍ଷ ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଇଥାଏ । ରୋଟାରି କ୍ଲବ ପକ୍ଷରୁ ରୋଟାରି ଭବନ ଠାରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି। ତତ ସହିତ ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଲୋକ ସମ୍ପର୍କ ସୂଚନା ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବରିଷ୍ଟ ସାମ୍ବାଦିକ ପ୍ରଦୀପ୍ତ ପଟ୍ଟନାୟକ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । କ୍ଳବର ସଭାପତି ରୋଟାରୀଆନ ଶ୍ରୀକାନ୍ତ ଖଟେଇଙ୍କ ସଭାପତିତ୍ବରେ ଏହି ଦିବସକୁ ପାଳନ କରା ଯାଇଥିବା ବେଳେ ବରିଷ୍ଠ ସାମ୍ବାଦିକ ହୁସେନ ଖାଁ, ରାମକୃଷ୍ଣ ରଥ, ପ୍ରଦୀପ୍ତ ରଥ,ଏଦିବସ ରେ ନିଜର ସୁ ବକ୍ତବ୍ୟ ପ୍ରଦାନ କରିଥିଲେ l କ୍ଲବ ସମ୍ପାଦକ ରୋଟାରୀଆନ ଅବିନାଶ ସାହୁ, ରୋଟାରୀଆନ ଶ୍ରୀଧର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଦିବସରେ ଜିଲ୍ଲାର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।