ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ହିଞ୍ଜିଳି ଗ୍ରସ୍ତ…..

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଉଚ୍ଚଶିକ୍ଷା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସମୀକ୍ଷା ଓ ଆଲୋଚନା କରିଛନ୍ତି । ଅପରାହ୍ନ ୫ ଘଣ୍ଟା ସମୟରେ ପ୍ରଥମେ ହିଞ୍ଜିଳିକାଟୁ ବିଜ୍ଞାନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିବା ପରେ ଅଧ୍ୟକ୍ଷ ଅରୁଣ କୁମାର ଖାଡ଼ଙ୍ଗା, ଅଧ୍ୟାପକ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଉତ୍ସସ୍ଵିତ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏନସିସି କ୍ୟାଡେଟମାନେ ମନ୍ତ୍ରୀ ମହୋଦୟଙ୍କୁ ଗାର୍ଡ ଅଫ ଅନର ଜଣାଇଥିଲେ । କଲେଜର ଅଧ୍ୟାପକ ଓ ଅଣଶିକ୍ଷକ ପଦବୀ ପୂରଣ, ବିଭିନ୍ନ ମୌଳିକ ସମସ୍ୟା ଦୂର କରିବା ସହ ଏହା ଦକ୍ଷିଣ ଓଡ଼ିଶାର ସର୍ବବୃହତ କଲେଜ ହୋଇଥିବାରୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ପୂରାତନ ଛାତ୍ରଛାତ୍ରୀମାନେ ଦାବିପତ୍ର ପ୍ରଦାନ କରିଥିଲେ ।  କଲେଜ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ସେମାନଙ୍କ ପଦବୀକୁ ସ୍ଥାୟୀ କରିବା ପାଇଁ ମନ୍ତ୍ରୀଙ୍କୁ ଜଣାଇଥିଲେ । ପରେ କଲେଜ ଅଧ୍ୟକ୍ଷଙ୍କ ସହ କଲେଜର ଭିତ୍ତିଭୂମି, ଆବଶ୍ୟକତା ଓ ସୁଯୋଗ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ପରେ ପୁର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ଡାକ ବଙ୍ଗଳାରେ  ଅଲ ଓଡିଶା ବ୍ଲକ ସ୍ତରୀୟ ଶିକ୍ଷା କର୍ମଚାରୀ ସଙ୍ଘ ରାଜ୍ୟ ଯୁଙ୍ଗ ସମ୍ପାଦକ ଲୋକନାଥ ଦାଶଙ୍କ ନେତୃତ୍ୱରେ ଏକ ଟିମ ମନ୍ତ୍ରୀଙ୍କୁ ଭେଟି ଦୀର୍ଘ 12 ବର୍ଷ କାମ କରି ଆସୁଛନ୍ତି ସେମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ନିମନ୍ତେ ଅନୁରୋଧ ସହ ଏକ ଦାବୀପତ୍ର ପ୍ରଦାନ କରିଥିଲେ l ଜିଲା ସଂସ୍କୃତି ବିଭାଗ ଓ ଲୋକକଳା ଗ୍ରାମ ନନ୍ଦିକ ପଞ୍ଚାୟତ ତତଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ମହୋଦୟ ମୁଖ୍ୟ ଅତିଥିରୂପେ ଯୋଗଦେଇଥିବା ବେଳେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ସମାଜସେବୀ ଶିଶିର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ହିଞ୍ଜିଳିକାଟୁ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।