ଅସହାୟ ବୃଦ୍ଧାଙ୍କୁ ମିଳୁ ନାହିଁ ବିଧବା ଭତ୍ତା: ଭୋକ ଉପାସରେ କାଟୁଛନ୍ତି ଦିନ, ବୃଦ୍ଧାଙ୍କୁ ପୁନଃ ଭତା ପ୍ରଦାନ ପାଇଁ ଅଞ୍ଚଳ ବାସୀଙ୍କ ଦାବୀ….
ବୌଦ୍ଧ(ଆବୁ ବକ୍କର ସିଦ୍ଧିକି ଖାନ): ବୟସ ଆସି ପହଞ୍ଚିଲାଣି ୭୦ ପରେ l ନା ଅଛି ପରିବାର ନା କିଏ ଅଛି ସାହା ଭରଷା। ସରକାରଙ୍କ ୫ କେଜି ଚାଉଳ ଏବଂ ୫ ସହ ଟଙ୍କା ଭତ୍ତାରେ କଟୁଛି ଦିନ । ହେଲେ ସରକାରୀ କର୍ମଚାରୀଙ୍କ ଦ୍ଵାରା କାଟି ଦିଆଗଲା ୫ ଶହ ଟଙ୍କା ଭତ୍ତା । ଏବେ କେବଳ ୫ କେଜି ଚାଉଳରେ ଜୀବନ ଯାପନ କରୁଛନ୍ତି । ହେଲେ ୫ କେଜି ଚାଉଳରେ କେତେ ଦିନ ବିତିବ ସେଥିପାଇଁ ଗ୍ରାମବାସୀଙ୍କ ଠାରୁ ମାଗିଯାଚି ଦିନ କାଟିବାକୁ ପଡୁଛି । ଏହା ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମହାଳିକପଡା ପଂଚାୟତ ଅନ୍ତର୍ଗତ ଭାବପୁର ଗ୍ରାମର ଜଣେ ଅସହାୟ ବୃଦ୍ଧା ମହିଳାଙ୍କ ଆକୁହା କଥା l ଭତ୍ତା ଦୁଇ ମାସ ହେଲା ମିଳୁନଥିବା ହେତୁ ଭୋକ ଉପାସରେ କାଳାତିପାତ କରୁଥିବା ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁଯାୟୀ ଭାବପୁର ଗ୍ରାମର ଖତ ବେହେରା ସ୍ବାମୀଙ୍କ ମୃତ୍ୟୁ ପରେ 1997 ମସିହାରୁ ବିଧବା ଭତ୍ତାକୁ ପାଇ ଆସୁଛନ୍ତି ଏବଂ ଭତ୍ତା ଟଙ୍କାରୁ ହିଁ ସେ ନିଜର ଜୀବନ ଯାପନ କରି ଆସୁଛନ୍ତି । ତାଙ୍କର କୌଣସି ସନ୍ତାନ ସନ୍ତତି କିମ୍ବା ଭରଣ ପୋଷଣ ପାଇଁଁ ଅନ୍ୟ କେହି ନଥିବା ହେତୁ ରାସନ୍ କାର୍ଡରୁ 5 କେଜି ଚାଉଳ ଓ ବିଧବା ଭତ୍ତା ହିଁ ତାଙ୍କର ସାହା ଭରସା l ଏଭଳି ସ୍ଥଳେ ଗତ ଦୁଇ ମାସ ହେଲା ତାଙ୍କ ଭତ୍ତା ନ ମିଳିବା କାରଣରୁ ଗ୍ରାମବାସୀ କିଏ ଦେଲେ ମୁଠେ ଖାଇଲେ ନହେଲେ ଭୋକ ଉପାସରେ ରହି ଆସୁଛନ୍ତି l ଭତ୍ତା ନ ଆସିବାରୁ ବୃଦ୍ଧା ଜଣକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଭତ୍ତା ପାଇଁ କହିବାରୁ ତାଙ୍କ ଭତ୍ତା କଟି ଯାଇଥିବା ଅଧିକାରୀ କହିଥିବା ଅଭିଯୋଗ କରିଛନ୍ତି । ଫଳରେ ଅସହାୟ ବୃଦ୍ଧା ଜଣଙ୍କ ବର୍ତ୍ତମାନ ଚିନ୍ତାରେ ପଡି ଯାଇଥିବା ବେଳେ ତୁରନ୍ତ ଏ ସମ୍ପର୍କରେ ବ୍ଲକ୍ ପ୍ରଶାସନ ପୁନଃ ତଦନ୍ତ କରି ଭତ୍ତା କିଏ ଏବଂ କାହିଁକି କାଟିଛି ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବୃଦ୍ଧାଙ୍କୁ ପୁନଃ ଭତ୍ତା ପ୍ରଦାନ କରିବାକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି ।