ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କେରାପଦର ଗ୍ରାମରେ ତା ୨୪-୦୫-୧୯୮୮ରେ ସ୍ଥାପିତ ହୋଇଥିଲା ଦ୍ୱାରଶନି ହାଇ ସ୍କୁଲ ଆଉ ସେହି ସମୟରେ ବ୍ୟାଚଲର ଅଫ ଏଜୁକେଶନ ଡିଗ୍ରୀ ହାସଲ କରିଥିବା ଲୋକ ପରିଚିତ ଶ୍ରୀଯୁକ୍ତ ସତ୍ୟପିର ପଣ୍ଡାଙ୍କୁ ତା ୦୧-୦୬-୧୯୮୮ ଦିନ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟୀତ୍ୱ ଅର୍ପଣ କରାଯାଇଥିଲା । ଦୀର୍ଘ ୩୬ ବର୍ଷ ଶିକ୍ଷକତା ପରେ ଆଜି ସେ ଶିକ୍ଷା ବିଭାଗରୁ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ନୂଆପଡ଼ା ଏଡିଇଓ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଇଓ ଋଦ୍ରେଶ୍ଵର ମେହେର, ଅବସରପ୍ରାପ୍ତ ବିଇଓ ଇନ୍ଦ୍ରମଣି ପାଣିଗ୍ରାହୀ ଓ ସରୋଜ କୁମାର ବେହେରା, ଅବସର ପ୍ରାପ୍ତ ଏବିଇଓ ପ୍ରେମାନନ୍ଦ ନାଏକ, ଏବିଇଓ ନେପାଲ ଚନ୍ଦ୍ର ଦେ, ସ୍କୁଲ କମିଟି ସଭାପତି ଖଗେଶ୍ବର ଖମାରୀ ଓ ଉପସଭାପତି ଅତିନ୍ଦ୍ର ଜିତ ସିଂ ମଲ୍ଲିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଠାକୁର, ଟାନୱାଟ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ବିନୋଦ କୁମାର ପାଢ଼ି ଏବଂ ଶିକ୍ଷାବିତ ଯୋଗେଶ୍ୱର ବୈଠାରୁ ମଞ୍ଚାସିନ ଥିଲେ ।ଶ୍ରୀଯୁକ୍ତ ପଣ୍ଡାଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ଵ, ସାଧୁତା, ସଚ୍ଚୋଟତା, ଶୃଙ୍ଖଳା, ସମୟା ନୁବର୍ତ୍ତିତା, ନିରପେକ୍ଷତା, ଉଦାରତା, ଭାବ ପ୍ରଦାନକାରୀ କଥା ବାର୍ତ୍ତା, ସହାନୁଭୂତି, ଶାସନ ପଦ୍ଧତି, ମିଷ୍ଠଭାଷୀ ଶିକ୍ଷାଦାନ ତଥା ଅନୁଶାସନ ଦ୍ଵାରା ଅଞ୍ଚଳର ହଜାର ହଜାର ଛାତ୍ରଛାତ୍ରୀ ଉଚିତ୍ ଜ୍ଞାନ ପ୍ରାପ୍ତ କରିବା ସହିତ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଚାକିରି କରି ତାଙ୍କର ଜୀବନ ନିର୍ବାହ କରୁଥିବା ପରିଲକ୍ଷିତ ହୁଏ । ତାଙ୍କରି ଏହି ସବୁ ଗୁଣ ଏବଂ ବିଭିନ୍ନ ଅବଦାନ ଆଜି ଟାଣି ଆଣିଥିଲା ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ । ସମ୍ବର୍ଦ୍ଧନା ଜଣାଇବାକୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଆଜି ଉପସ୍ଥିତ ରହି ଶ୍ରୀଯୁକ୍ତ ସତ୍ୟପିର ପଣ୍ଡାଙ୍କ ଆଗାମୀ ଦିନ ଗୁଡ଼ିକ ଖୁସିରେ ବିତିବାକୁ କାମନା କରିବା ସହ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଷ୍ଟାଫ ବିଭିନ୍ନ ପ୍ରକାର ଉପଢୋକନ ପ୍ରଦାନ କରିବା ସହିତ ପଣ୍ଡା ମହୋଦୟଙ୍କ ଶୁଭ ଚିନ୍ତା କରିଛନ୍ତି ।