ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବଜାର ଓ ଜାତୀୟ ରାଜପଥ ସମେତ ବ୍ଲକ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗାଡ଼ି ମୋଟର ଯାତାୟତରେ ବାଧା ସୃଷ୍ଟି ହେଉ ଥିଲା । ଏହାର ମୁଖ୍ୟ କାରଣ ସ୍ଥାନୀୟ ପ୍ରଶାସନ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଉଠାଦୋକାନୀମାନଙ୍କ ଥଇଥାନ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଇ ନଥିଲା । ଏବେ ଏହାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଅଣ୍ଟା ଭିଡ଼ିଥିବା ଦେଖୁବାକୁ ମିଳିଛି। ମିଳିତ ଭାବେ ଦାରିଙ୍ଗବାଡ଼ି ଜନଜାତି ହାଟ ଅଞ୍ଚଳରେ ରହିଥିବା ଜବରଦଖଲକୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରକାଶ ଯେ ଗତ ୨୦୧୫ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ୍ କରାଯାଇ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ପ୍ରୟାସ କରାଯାଇଥିଲେ ସୁଦ୍ଧା ତାହା ସଫଳ ହୋଇ ନ ଥିଲା । ଗ୍ରାହକମାନେ ସେଠାକୁ ନ ଗଲେ ଆଶାନୁରୂପ ବ୍ୟବସାୟ ହେବ ନାହିଁ ବୋଲି ଆଶଙ୍କା କରି ଉଠା ଦୋକାନୀମାନେ ଭେଣ୍ଡିଂ ଜୋନ୍କୁ କେହି ଗଲେନାହିଁ । ଫଳରେ ବର୍ଷ ବର୍ଷ ଧରି ଉକ୍ତ ଭେଣ୍ଡିଂ ଜୋନ୍ କୌଣସି କାର୍ଯ୍ୟରେ ଆସିଲା ନାହିଁ ବରଂ ଲକ୍ଷାଧିକ ଟଙ୍କା ବିନିମୟରେ ହୋଇଥିବା ହାଟ ପିଣ୍ଡି ଓ ଭେଣ୍ଡିଂ ଜୋନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା । ଏହାର ଫାଇଦା ନେଇ ଉକ୍ତ ସରକାରୀ ଜମିରେ ଅନେକେ ଜବରଦଖଲ କରି ରଖୁଛନ୍ତି । ଯାହାରି ଫଳରେ ଜାତୀୟ ରାଜପଥଠାରୁ ବ୍ଲକ ରାସ୍ତାରେ ସବୁବେଳେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି । ଅନ୍ୟ ପକ୍ଷରେ ସେହି ରାସ୍ତା ଜାତୀୟ ରାଜପଥରୁ ପର୍ତ୍ତମାହା ପଞ୍ଚାୟତକୁ ସଂଯୋଗ କରୁଛି । ଉକ୍ତ ରାସ୍ତାଟି ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରେ ରହିଥିଲା ବର୍ତ୍ତମାନ ଉକ୍ତ ରାସ୍ତା ପ୍ରଶସ୍ତ କରାଯିବ ଏବଂ ଏହାର ସମ୍ପ୍ରସାରଣ କାର୍ଯ୍ୟ ପୂର୍ତ୍ତ ବିଭାଗ କରିବ । ତେଣୁ ଖୁବ୍ଶୀଘ୍ର ଉକ୍ତ ରାସ୍ତାରେ ମଧ୍ଯରେ ଥିବା ଜବରଦଖଲ ଉଚ୍ଛେଦ କରାଯିବ ବୋଲି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି । ଦାରିଙ୍ଗବାଡ଼ି ଅଞ୍ଚଳରେ ଅଟକି ରହିଥିବା ବିକାଶମୂଳକ କାର୍ଯ୍ୟ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ସେଥିପାଇଁ ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ କରାଯିବା ସହ ବସ୍ଷ୍ଟାଣ୍ଡ ଅଞ୍ଚଳ ସମେତ ଜନଜାତି ହାଟ ବ୍ଲକ ରୋଡର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ବିଡ଼ିଓ ଶ୍ରୀ ପାତ୍ର କହିଛନ୍ତି।