ଫାଇନାନ୍ସରେ ଅଟୋ ଆଣି ଅଡ଼ୁଆରେ ଉପୋଭକ୍ତା, ସମସ୍ତ କିସ୍ତି ଶୁଝିବା ପରେ ବି ବାକି ଗଡୁଛି କହି ଗାଡ଼ି ଛଡ଼େଇ ନେବାକୁ ଆସୁଛନ୍ତି କର୍ମଚାରୀ….

ବ୍ରାହ୍ମଣୀଗାଁ (ଆଶୋକ ସିଂ): କାମ ଧନ୍ଦା ଅଭାବରୁ ରାଜ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି l ନିଜ ଅଞ୍ଚଳରେ କାମଧନ୍ଦା ମିଳୁ ନଥିବାରୁ କିଛି ଯୁବକ ରୋଜଗାର କରିବାକୁ ବାହାର ରାଜ୍ୟକୁ ଯାଇ କାମଧନ୍ଦା ଖୋଜୁ ଥିବା ବେଳେ କିଛି ଯୁବକ ସ୍ୱାଭିମାନୀ ହୋଇ ନିଜ ଅଞ୍ଚଳରେ ଅଟୋ ଚଳାଇ ରୋଜଗାର କରିବା ଭଳି ପନ୍ଥା ଆପଣେଇ ଛନ୍ତି । ହେଲେ ଅଟୋ ଟିଏ ଯୋଗାଡ଼ କରିବାକୁ ହେଲେ ବିଭିନ୍ନ ପ୍ରାଇଭେଟ୍ କମ୍ପାନୀରୁ ଫାଇନାନ୍ସ କରିବାକୁ ପଡ଼ିଥାଏ । କମ୍ପାନୀରେ ଥରେ ନାମ ଲାଗିଗଲେ ରୋଜଗାର ହେଉ ବା ନହେଉ ପ୍ରତ୍ୟେକ ମାସରେ ଫାଇନାନ୍ସର କିସ୍ତି ବାନ୍ଧିବାକୁ ବାଧ୍ୟ ହୋଇ ଥାନ୍ତି ଉପଭୋକ୍ତା l କିସ୍ତି ବାନ୍ଧିବାକୁ ଦିନଟିଏ ବି ବିଳମ୍ବ ହେଲେ ଚେକ୍ ବାଉନ୍ସ ହୋଇ ଫାଇନ ଦେବାକୁ ପଡିଥାଏ l ତଥାପି ଫାଇନାନ୍ସ ଆଣିଥିବା ଲୋକେ ବାଧ୍ୟ ହୋଇ ଫାଇନ ସହ କିସ୍ତି ବାନ୍ଧିବାକୁ ବାଧ୍ୟ ହୋଇ ଥାନ୍ତି । ନିଜର ଯେତେ ଅଭାବ ଥିଲେ ସୁଦ୍ଧା ପ୍ରଥମେ ଫାଇନାନ୍ସ ଶୁଝିବା କଥା ଚିନ୍ତା କରି ଥାନ୍ତି । ଦୁଃଖର ବିଷୟ ସମସ୍ତ କିସ୍ତି ଶୁଝିବା ପରେ ମଧ୍ୟ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ବକେୟା ଅର୍ଥ ଶୁଝିବାର ଅଛି ନଚେତ୍ ଗାଡ଼ି ଛଡ଼େଇ ନେଇ ଯିବୁ କହି ଧମକ ଦେଉଥିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି l ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି l ମଙ୍ଗଳ ବାର ଦିନ କିଛି ଲୋକ ଫାଇନାନ୍ସ କମ୍ପାନୀର କର୍ମଚାରୀ ବୋଲି ପରିଚୟ ଦେଇ ଦୁଇଟି ଅଟୋକୁ ଅଟକାଇ ସେମାନଙ୍କ ଠାରୁ ବକେୟା ଟଙ୍କା ଦିଅ ନଚେତ ଅଟୋ ନେଇଯିବୁ କହି ଧମକ ଚମକ କରୁଥିବା ବିଷୟ ଲୋକ ଲୋଚନକୁ ଆସିଛି l ସୂଚନା ଅନୁଯାୟୀ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର କିନରୀ ନୂଆଗାଁ ଗ୍ରାମର ସଞ୍ଜୟ ପାତ୍ର ବାଜାଜ ଫାଇନାନ୍ସରୁ ଅଟୋ ଆଣି ୪୮ଟି କିସ୍ତିରେ ସମସ୍ତ ଫାଇନାନ୍ସ କ୍ଲିୟର କରିଥିବା ବେଳେ ଫାଇନ ବାବଦରେ ପ୍ରାୟ ୧୬୦୦ ଟଙ୍କା ଅଧିକା ବାନ୍ଧି ଛନ୍ତି । ବାରମ୍ବାର ଅଫିସ ସହ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କୁ କ୍ଲିୟେରେନ୍ସ ସାର୍ଟିଫିକେଟ ଆଜି ପର୍ୟ୍ୟନ୍ତ ମିଳି ନାହିଁ l ଏଜେଣ୍ଟ ଜଣକ ଏପଟ ସେପଟ କାମ ଦେଖାଇ ଦିନ ବାର ଘୁଞ୍ଚାଇ ବାରେ ଲାଗିଛନ୍ତି l ଅନ୍ୟ ପକ୍ଷେ ସେହି କମ୍ପାନୀର କିଛି କର୍ମଚାରୀ ବିନା ନୋଟିସରେ ଆସି ଅଧିକା ୩୨୦୦୦ ଟଙ୍କା ପୈଠ ନ ଦେଲେ ଅଟୋ ନେଇଯିବୁ ବୋଲି ଧମକ ଦେଉଥିବା କହିଛନ୍ତି ଉପଭୋକ୍ତା l ସମସ୍ତ କିସ୍ତି ଶୁଝିବା ପରେ କିପରି ବକେୟା ରହିଲା ବୋଲି ପଚାରିବାରୁ କୋଭିଡ ସମୟରେ ମେରିଟେରମ୍ ରେ ଅଧିକ ୪ଟି କିସ୍ତି ବଢ଼ିଥିବା କର୍ମଚାରୀ ମାନେ କହୁଛନ୍ତି l ଯାହାକି ସଞ୍ଜୟଙ୍କ ମାନସିକ ଯନ୍ତ୍ରଣାକୁ ବଢ଼େଇ ଦେଇଛି। ସେହିପରି ଗଡମା ଗ୍ରାମର ଆନ୍ଦ୍ରିୟ ମୁଠା ମାଝୀ ମଧ୍ୟ ହିନ୍ଦୁ ଜା କମ୍ପାନୀରୁ ଫାଇନାନ୍ସ କରିଥିଲେ l ତାଙ୍କର ସମସ୍ତ କିସ୍ତି ଶୁଝିବା ପରେ ଆଉ ମାତ୍ର ୪୦୦୦ହଜାର ଶୁଝିବାକୁ ବାକି ଥିବା କହୁଥିବା ବେଳେ ତାଙ୍କ ନାମରେ ୫୧୦୦୦ ଟଙ୍କା ବକେୟା ଥିବା କହି ତାଙ୍କ ଠାରୁ ମଧ୍ୟ ଅଟୋ ଛଡ଼ାଇ ନେବାକୁ ଧମକ ଦେଉଥିବା ସମୟରେ ଆମ ପ୍ରତିନିଧି ଘଟଣା ସମ୍ପର୍କରେ ଜାଣିବାକୁ ସେଠାରେ ପହଞ୍ଚି ପଚରା ଉଚରା କରି ଫଟୋ ଉତ୍ତୋଳନ କରିଥିଲେ l ଉକ୍ତ କର୍ମଚାରୀମାନେ ସନ୍ତୋଷ ଜନକ ଉତ୍ତର ନ ଦେଇ ଥାନାକୁ ଯାଉଛୁ କହି ସ୍ଥାନ ଛାଡ଼ି ପଳେଇ ଯାଇଥିଲେ । ଏଜେଣ୍ଟ ପରିଚୟ ଦେଇ ଅନେକ ସମୟରେ କିଛି ବ୍ୟକ୍ତି ଆସି ଅଞ୍ଚଳ ବାସୀଙ୍କ ଠାରୁ ଟଙ୍କା ଆଦାୟ କରି ରସିଦ ଦେଉ ନ ଥିବା ବେଳେ ଡିଫଲ୍ଟର ଲିଷ୍ଟକୁ ନାମ ଚାଲି ଯାଉଛି ଏବଂ କମ୍ପାନୀର କର୍ମଚାରୀମାନେ ଆସି ଅନେକ ଲୋକଙ୍କ ଗାଡ଼ି ଛଡ଼େଇ ନେଉଥିବା ନଜିର ରହିଛି । ଏଜେଣ୍ଟ୍ ମାନଙ୍କ ଭୁଲ ଯୋଗୁଁ ଅନେକ ଲୋକ ଶୋଷଣର ଶିକାର ହେଉଥିବା ଦେଖିବାକୁ ମିଳୁଛି l ଏଣୁ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ଏଜେଣ୍ଟମାନଙ୍କ କାର୍ଯ୍ଯ କଳାପ ପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଅନେକ ଲୋକ ଠକାମୀର ଶିକାର ହେବାର ଆଶଙ୍କା ରହିଛି ।