ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଚଳିତ ସ୍ବାଧୀନତା ଦିବସ ପାଳନ ନେଇ ଉପଜିଲ୍ଲାପାଳ ଶ୍ରୀ ସେଠୀ ସମସ୍ତ ସଭ୍ୟ ସଭ୍ୟାଙ୍କ ସହ ଯୋଗ କାମନା କରିଥିଲେ । ନିଷ୍ପତ୍ତି ପ୍ରକାରେ, ସ୍ବାଧୀନତା ଦିବସ ଦିନ ପ୍ରତ୍ୟୁଷ ଘ ୫ :୩୦ ମି ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସହର ରେ ରାମଧୁନ୍ ପରିବେଷଣ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ସକାଳ ଘ ୭:୩୦ ମିରେ ପତାକା ଉତ୍ତୋଳନ କରିବେ । ସକାଳ ଘ ୯:୧୫ ମି ରେ ସ୍ଥାନୀୟ ଜେଲ ପଡ଼ିଆ (ଷ୍ଟାଡିୟମରେ )ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ଚଳିତ ବର୍ଷ ପ୍ୟାରେଡ୍ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ । ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଅଂଶ ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଏଥି ନିମନ୍ତେ ଆସନ୍ତା ୧୨ ଓ ୧୩ ତାରିଖରେ ସ୍ଥାନୀୟ ଜେଲ ଗ୍ରାଉଣ୍ଡ ରେ ପ୍ୟାରେଡ୍ ଅଭ୍ୟାସ କରିବେ । ଓଡ଼ିଆ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ବ୍ରକ୍ତୃତା ପ୍ରତିଯୋଗିତା ଉପଖଣ୍ଡ ସ୍ତରୀୟ ଅନୁଷ୍ଠିତ ହେବ । ଚଳିତ ବର୍ଷ ଉପଖଣ୍ଡର ପ୍ରତି ବ୍ଲକ ରୁ ଗୋଟିଏ ଲେଖାଏଁ ପ୍ୟାରେଡ୍ ଟୃଫ୍ ଅଂଶଗ୍ରହଣ କରିବେ ବୋଲି ସ୍ଥିର କରାଯାଇଛି । ବୈଠକରେ ତହସିଲଦାର ଉମାଶଙ୍କର ବେହେରା, ଥାନାଧିକାରୀ କୁମର ମୁଦୁଲି, ବିଇଓ ଏସ୍.ଧନଞ୍ଜୟଙ୍କ ସମେତ ସମସ୍ତ ବିଭାଗର ସରକାରୀ ଅଧିକାରୀ, କେ.ଏ ସ.ୟୁ ବି କଲେଜ ଏନ୍.ସି.ସି ଅଫିସର, ବଣିକ ସଂଘର ସଭାପତି ଓ ସମ୍ପାଦକ, ଖୁଚୁରା ବ୍ୟବସାୟୀ ସଂଘର ସଭାପତି ଓ ସମ୍ପାଦକ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସାମ୍ବାଦିକ, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଦୀପ କୁମାର ପାତ୍ର ଓ ତାରିଣି ସାହୁ ସହଯୋଗ କରିଥିଲେ ।