ଭଞ୍ଜନଗର(ନିଲୁ ବିଷୋୟୀ): ଅସାବଧାନତାରୁ ବିଦ୍ୟୁତ୍ ଆଘାତରେ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଜଣେ ଅଟୋଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କ୍ଷତ୍ରିୟବରପୁର ରମେଶ୍ ସାହୁ (୫୨) । ସେ ଅଞ୍ଚଳରେ ଅଟୋ ଚଳାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ । ସୋମବାର ସକାଳେ ରମେଶ ନିଜ ଘର ପାଖରେ ଚଲାବୁଲା କରୁ୍ଥିବା ବେଳେ ଦୁର୍ଭାଗ୍ୟବଶତଃ ଘର ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଝୁଲି ରହିଥିବା ତାର ସଂସ୍ପର୍ଶରେ ଆସିଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ରମେଶଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିଲେ । ରମେଶ ଘରର ଏକମାତ୍ର ରୋଜଗାରିଆ ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସୁଷମା, ଦୁଇପୁଅ ଏବଂ ଝିଅ ସମ୍ପୂର୍ଣ୍ଣ ବେସାହାରା ହୋଇପଡିଛନ୍ତି । ମୃତ ରମେଶଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।