କଳିଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ପାଠଚକ୍ର ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ‘ଛ’ ମାଣ ଆଠ ଗୁଣ୍ଠରେ ଚରିତ୍ର ଚିତ୍ରଣଗତ ବିଶେଷତ୍ଵ ‘ଶୀର୍ଷକ ଏକ ଆଲୋଚନା ଚକ୍ର ବିଭାଗ ମୁଖ୍ୟ ଅଧ୍ୟାପିକା ସୁପ୍ରିୟା ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିବା ସହିତ ଏପରି କାର୍ଯ୍ୟକ୍ରମର ଆୟୋଜନ ପାଇଁ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଅଧ୍ୟାପିକା ସବିତା ଟୁଡୁଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତ ସନ୍ଦର୍ଭ ତୃତୀୟ ବର୍ଷ ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ପାଠ କରିଥିଲେ । ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ, ଅଧ୍ୟାପିକା ମାମିନା ଦାସ ଆଲୋଚନାରେ ଅଂଶ ଗ୍ରହଣ କରି ଛ’ମାଣ ଆଠ ଗୁଣ୍ଠ ଉପନ୍ୟାସର ପ୍ରତ୍ୟେକ ଚରିତ୍ରକୁ ଫକୀର ମୋହନ ସେନାପତି କିପରି ସଫଳତାର ସହିତ ବର୍ଣ୍ଣନା କରି ନିଜର ଲେଖକୀୟ ପାରଦର୍ଶିତାକୁ ପ୍ରମାଣିତ କରିଛନ୍ତି ତା’ ସଂପର୍କରେ ଆଲୋକପାତ କରିଥିଲେ । ସଭାପତି ତଥା ବିଭାଗ ମୁଖ୍ୟ ଅଧ୍ୟାପିକା ସୁପ୍ରିୟା ମହାନ୍ତି ତାଙ୍କ ବକ୍ତବ୍ୟରେ ଫକୀର ମୋହନ ଉପନ୍ୟାସର କୈାଣସି ଚରିତ୍ର ପ୍ରତି ସମ୍ବେଦନଶୀଳ ହୋଇ ନାହାଁନ୍ତି କିମ୍ବା କୌଣସି ଚରିତ୍ର ପ୍ରତି କ୍ରୂର ମନୋଭାବ ପୋଷଣ ନକରି ଯଥୋଚିତ ସମ୍ମାନ ପ୍ରଦର୍ଶନ କରିଛନ୍ତି ବୋଲି କହିଥିଲେ । ଅଧ୍ୟାପିକା ସବିତା ଟୁଡୁ ପ୍ରାକ୍ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରୂପବନ୍ତ ଭୋଇ, ଅଧ୍ୟାପକ ସୈାରଭ ସୁନ୍ଦର ପଧାନ, ଅଧ୍ୟାପିକା ଝୁନୁମା ପ୍ରଧାନ, ଅଧ୍ୟାପିକା ସରିତା ମିଶ୍ର ଛାତ୍ରୀ ସାନିଆ ନାୟକ, ଶୁଭ ସ୍ମିତା ପ୍ରଧାନ ଆଦି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶେଷରେ ଦ୍ୱିତୀୟ ବର୍ଷ ଛାତ୍ର ଅଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।