ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଜବତ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖାଲାସି ସାହିର ଏକ କୁଅ ମଧ୍ୟରୁ ଗୁରୁବାର ଜଣେ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି । ମୃତ ବ୍ୟବସାୟୀ ଜଣକ ହେଲେ ସନ୍ତୋଷ ପାଢୀ (୫୬) । ବ୍ୟବସାୟୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ଅତ୍ୟଧିକ ଋଣ ବୋଝରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ, ସନ୍ତୋଷ ସବୁଦିନ ଭଳି ଗୁରୁବାର ମଧ୍ୟ ନିଜ ଦୋକାନ ଖୋଲିଥିଲେ । ଅପରାହ୍ନ ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ସେହି ସମୟରେ ଘରେ କେହି ନଥିଲେ । ପରିବାର ଲୋକେ ଘରେ ପହଞ୍ଚିବା ପରେ ସନ୍ତୋଷଙ୍କୁ ବହୁ ଖୋଜାଖୋଜି କରିଥିଲେ l ଘର ଲୋକେ ବହୁ ସମୟ ଖୋଜିବା ପରେ କୂଅ ଭିତରେ ସନ୍ତୋଷଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ସ୍ଥାନୀୟ ପୁଲିସ୍ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବ୍ୟବସାୟୀଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି।