କନ୍ଧମାଳ ଜିଲାରେ ବିଜେପିକୁ ଶକ୍ତ ଝଟକା, ଅନାସ୍ଥା ଭୋଟରେ ପଦବୀ ହରାଇଲେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା…

ଅନୁସନ୍ଧାନ ଭାରତ(ବ୍ୟୁର): ଦୀର୍ଘ ଚାରି ମାସ ଧରି ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲି ଥିବା ନାଟକର ଅନ୍ତ ଘଟିଛି । ଆଜି ପ୍ରସ୍ତାବ ଉପରେ ଅନୁଷ୍ଠିତ ମତଦାନରେ ପରାଜିତ ହୋଇଛନ୍ତି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି । ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ମତଦାନରେ ଅଂଶଗ୍ରହଣ କରିଥିଲେ । ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇ ଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିଲା । ବିଜେପିର ଦୁଇ କାଉନସିଲର ଆଜିର ବୈଠକରେ ଅନୁପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ, ସ୍ମିତାରାଣୀ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ପୌରାଧ୍ୟକ୍ଷା ହୋଇଥିଲେ । ବର୍ତ୍ତମାନ ଫୁଲବାଣୀ ପୌର ପରିଷଦରେ ବିଜେଡିର ୭ ଜଣ କାଉନସିଲର ଥିବା ବେଳେ ବିଜେପିର ୪ ଜଣ ଅଛନ୍ତି । ଦୁଇ ସ୍ବାଧୀନ କାଉନସିଲର ବିଜେଡିକୁ ସମର୍ଥନ ଦେଉଛନ୍ତି । ଗତ ଏପ୍ରିଲ ୧୦ ତାରିଖରେ ବିଜେଡିର ୭, ବିଜେପିର ଦୁଇ ଓ ଦୁଇ ସ୍ବାଧୀନ କାଉନସିଲରଙ୍କୁ ମିଶାଇ ସମୁଦାୟ ୧୧ ଜଣ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ । ଏନେଇ ବୈଠକ ପୂର୍ବରୁ ଦୁଇ ଥର ବିଭିନ୍ନ କାରଣରୁ ବାତିଲ ହୋଇ ଶେଷରେ ଆଜି ଅନାସ୍ଥା ଉପରେ ଆଲୋଚନା ସହ ମତଦାନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ ବୈଠକ ପରିଚାଳନା କରିଥିଲେ ।