ଭଞ୍ଜନଗର(ନିଲୁ ବିଷୋୟୀ): ପଞ୍ଚାୟତ ସ୍ତରରୁ ବ୍ଳକ ମୁଖ୍ୟାଳୟକୁ ଆସିବା ପାଇଁ ଲକ୍ଷ୍ମୀ ବସ୍ ସେବା ତତ୍କାଳୀନ ସରକାର ଆରମ୍ଭ କରିଥିଲେ । ବର୍ତ୍ତମାନ ଏହାର ନାମ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ ବସ ସେବା ରଖାଯାଇଛି । ଏହି ବସ୍ ଚଳାଚଳ ବ୍ଳକ ପ୍ରଶାସନ ଦ୍ବାରା ପରିଚାଳିତ ହେଉଥିବା ବେଳେ ଯେଉଁ ଘରୋଇ ବସ୍ ଯାତାୟତ କରୁଛି ସେହି ସମାନ ସମୟରେ ମୁଖ୍ୟମନ୍ତ୍ରୀ ବସ ସେବା ଚଳାଚଳ ନକରିବା ପାଇଁ ମାଲିକ ମାନେ ପ୍ରଶାସନର ଦୃଷ୍ଟି ଆର୍କଷଣ କରିଥିଲେ । ଏନେଇ ମଙ୍ଗଳବାର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଅନୁଷ୍ଠିତ ହୋଇଛି । ବସ୍ ଗୁଡିକର ରୁଟ୍ ଓ ଯିବା ଆସିବା ସମୟର ସମସ୍ତ ତଥ୍ୟକୁ ଅନୁଶୀଳନ କରି ଅନ୍ତତଃ ଘରୋଇ ବସ୍ ଛାଡିବାର ଅତିକମ୍ ରେ ୧୫ ମିନଟ୍ ପୂର୍ବରୁ କିମ୍ବା ପରେ ଏହାର ସମୟ ବଦଳାଇବା ସହ ଯେଭଳି ଆଗାମୀ ଦିନରେ କୌଣସି ସମସ୍ୟା ନଘଟେ ସେନେଇ ରୁଟ୍ ପ୍ରସ୍ତୁତ କରିବା ଦିଗରେ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବସ ସେବା ଜରିଆରେ ୪୯ଟି ବସ ଚଳାଚଳ କରୁଥିବା ବେଳେ ବେସରକାରୀ ବସ୍ ଓ ଏହି ବସ୍ ର ସମୟ ଏବଂ ରୁଟ୍ ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି । ଏହି ବୈଠକରେ ସହକାରୀ ଜିଲ୍ଲାପାଳ ବିଶ୍ବରଞ୍ଜନ କର, ଓଏସ୍ଆରର୍ଟିସି ଡିଏମ୍ ଅରୁଣ କୁମାର ସାହୁ, ଭଞ୍ଜନଗର ବିଡ଼ିଓ ମନ୍ମଥକୁମାର ନାୟକ, ଜଗନ୍ନାଥପ୍ରସାଦ ବିଡିଓ ଅଶ୍ବିନ ମହାପାତ୍ର, ଥାନାଧିକାରୀ କୁମାର ମୁଦୁଲି, ଭଞ୍ଜନଗର ଘୁମୁସର ଘରୋଇ ବସ୍ ମାଲିକ ସଂଘ ସଭାପତି ତଥା ନଗରପାଳ ଗୋପବନ୍ଧୁ ମହାପାତ୍ର, ସମ୍ପାଦକ ବିପ୍ରଚରଣ ବାରିକ, ଚନ୍ଦନ ପ୍ରଧାନ, ଶିବରାମ ପ୍ରଧାନ, ସୂର୍ଯ୍ୟ ବିଶ୍ବାଳ, ସନ୍ତୋଷ ସ୍ବାଇଁ, ସୋରଡ଼ା ଘରୋଇ ବସ୍ ମାଲିକ ସଂଘର ସୟିଦ୍ ରାଫି, ସୟିଦ୍ ଇବୁ, ବଳରାମ ସାହୁ, ଲିଲୁ ମହାନ୍ତି, ଲିଟୁ ସାମନ୍ତଙ୍କ ସମେତ ବହୁ ମାଲିକ ଉପସ୍ଥିତ ରହିଥିଲେ ।