ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡିରୁ ସିର୍କାବର୍ଗକୁ ସଂଯୋଗ କରୁଥିବା ରାସ୍ତାର ଜାଞ୍ଜିକୁଟି ପୋଲ ଭାଙ୍ଗିବା ପରେ ସିର୍କାବର୍ଗ ପଞ୍ଚାୟତକୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇ ଯାଇଛି । ଦାରିଙ୍ଗବାଡି ଠାରୁ ସିର୍କାବର୍ଗ ଯିବା ପାଇଁ ହେଲେ ଦନେକବାଡ଼ିର ଜାଞ୍ଜିକୁଟି ନାଳ ଦେଇ ଯିବାକୁ ପଡ଼େ । ହେଲେ ବର୍ଷା ଅତ୍ୟଧିକ ହେବା ଫଳରେ ମଙ୍ଗଳବାର ଦିନ ଉକ୍ତ ନାଳରେ ଥିବା ପୋଲ ଟି ଭାଙ୍ଗିଯାଇଥିଲା । ଫଳରେ ସିର୍କାବର୍ଗ ପଞ୍ଚାୟତକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ଏହା ପରେ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ହୋମ ପାଇପ ପକେଇ ତା ଉପରେ ମାଟି ପକେଇ ଦିଆ ଯାଇଥିଲା । ମରାମତି ପରେ ବି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି, ନାଳ ରେ ପାଣି ଯିବା ଫଳରେ ମାଟି ଧୋଇ ହୋଇଯିବା ସହ ରାସ୍ତା ପୁରା କାଦୁଅ ପଚ ପଚ ହୋଇ ଯାଇଛି । ଫଳରେ କୌଣସି ଗାଡ଼ି ଉକ୍ତ ରାସ୍ତା ଦେଇ ଯାତାୟତ କରି ପାରୁନାହିଁ । ବୁଧବାର ଦିନ ଠାରୁ ମୁଖ୍ୟମନ୍ତ୍ରୀ ବସ ସେବା ମଧ୍ୟ ବନ୍ଦ ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯଦି ହଟାତ୍ କାହାରି ଦେହ ଖରାପ ହୁଏ ତାହାଲେ ସିର୍କାବର୍ଗ ପଞ୍ଚାୟତକୁ କୌଣସି ଆମ୍ବୁଲାନ୍ସ ମଧ୍ୟ ଯାତାୟାତ କରିପାରିବ ନାହିଁ । ଏଣୁ ଉକ୍ତ ଭଙ୍ଗା ପୋଲ ରାସ୍ତାକୁ ଯଥା ଶୀଘ୍ର ସଠିକ୍ ଭାବେ ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।